ଓଡ଼ିଆ ଜାତିକୁ ବିଶ୍ୱରେ ସମୃଦ୍ଧ କରିବାକୁ ସଂକଳ୍ପ ନେବା ଜରୁରୀ: ମନ୍ତ୍ରୀ

‘ଓଡ଼ିଶା ପର୍ବ - ୨୦୨୨’ ଉଦଘାଟିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ଜାତିକୁ ବିଶ୍ୱରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବା ଜରୁରୀ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ – ୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଦୁଇଦିନିଆ ସାଂସ୍କୃତିକ ମହାକୁମ୍ଭରେ ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ ୨୦୩୬ରେ ଆଉ ମାତ୍ର ୧୪ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ୨୦୪୭ ସୁଦ୍ଧା ୨୬ ବର୍ଷ ପରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ଓଡ଼ିଆ ଜାତିକୁ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ ।

ମହାପ୍ରଭୁ ଶ୍ରୀଜଗନ୍ନାଥ, ପଟ୍ଟଚିତ୍ର, ପଖାଳ, ହସ୍ତତନ୍ତ, ସମ୍ବଲପୁରୀ ଶାଢୀ ଓଡ଼ିଆଙ୍କ ପରିଚୟ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଓଡ଼ିଆ ସାରସ୍ୱତ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଓଡ଼ିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ, ସଂଘର୍ଷ କରିବା ହିଁ ଓଡ଼ିଆର ଚରିତ୍ର । ଅତୀତରେ ନୌବାଣିଜ୍ୟ କଳା, ଅନନ୍ୟ କୀର୍ତ୍ତିରାଜି ଓ ସୁକ୍ଷ୍ମ କାରିଗରୀ ଏହାର ବଳିଷ୍ଠ ପ୍ରମାଣ ।

ମହିମା ଧର୍ମର ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ବିଚାର ଆଦର୍ଶକୁ ୟୁଜିସି ଦ୍ୱାରା ଏକ ପାଠ୍ୟକ୍ରମ ଭାବରେ ସ୍ୱୀକୃତି ଦିଆଯାଇଛି ।  ଏହା ଉପରେ ଅଧିକ ଅନୁସନ୍ଧାନ ପାଇଁ ଗବେଷଣା ଚେୟାର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହିପରି ଓଡ଼ିଆ ପରମ୍ପରା ଏବଂ ମୂଲ୍ୟବୋଧକୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି ।

କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ଯେ ଇତିହାସରେ ଘଟିଥିବା ସଂଗ୍ରାମକୁ ସ୍ୱୀକୃତି ଦେବା ପାଇଁ ତଥ୍ୟ ଆଧାରିତ ହୋଇଥିବା ଦରକାର । ଏ ସବୁ ବିଷୟକୁ ଆମେ ଓଡ଼ିଆ ଭାବରେ ଆତ୍ମବିଶ୍ଳେଷଣ କରିବା ଜରୁରୀ ।  ଜୟୀ  ରାଜଗୁରୁ, ବକ୍ସି ଜଗବନ୍ଧୁ, ମାଧୋ ସିଂହ, ଶହୀଦ ଲକ୍ଷ୍ମଣ ନାଏକ, ବାଜି ରାଉତଙ୍କ ଭଳି ଓଡ଼ିଆ ଜାତି ପାଇଁ ସମର୍ପିତ ତଥା ଇତିହାସ ପୃଷ୍ଠାରେ ଆନାଲୋଚିତ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ପରାକ୍ରମର ବିଷୟ ଉପରେ ଗବେଷଣା କରିବା ପାଇଁ ଆଇସିଏଚଆର ପକ୍ଷରୁ ଉଦ୍ୟମ କରାଯାଉଛ।

ଓଡିଶାର  ‘ପାଇକ ବିଦ୍ରୋହ’ ର ବୀରତ୍ୱପୂର୍ଣ୍ଣ ଘଟଣାକୁ ଜାତୀୟ ସ୍ତରରେ ଧାରାବାହିକ ‘ବିଦ୍ରୋହୀ’ ନାମରେ ପ୍ରସାରିତ ହେଉଛି । ଏକ ବୀରତ୍ୱପୂର୍ଣ୍ଣ ଏବଂ ଶୌର୍ଯ୍ୟମୟ ଜାତିର ଉତ୍ତର ପିଢି ଭାବେ ପୂର୍ବପୁରୁଷଙ୍କ ଅଦମ୍ୟ ସାହସର ଗାଥାକୁ ନେଇ ଓଡ଼ିଆ ଜାତି ଏଥିପାଇଁ ନିଶ୍ଚୟ ଗୌରବାନ୍ୱିତ ଅନୁଭବ କରିବ । ‘ବିଦ୍ରୋହୀ’ ଭଳି ଉଚ୍ଚକୋଟିର ଧାରାବାହୀକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରୁଥିବାରୁ ପ୍ରଯୋଜକ ସୁବ୍ରତ ସିହ୍ନା, କଳାକାର ଓ ସମସ୍ତ ସମସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ରାଜ୍ୟ ଓ ଦେଶ ବାହାରେ ରହୁଥିବା ଏକାଧିକ ପ୍ରବାସୀ ଓଡ଼ିଆଙ୍କୁ ଏକତ୍ର କରିବା ସହ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଓଡ଼ିଆ ରାନ୍ଧଣା, ଗୌରବମୟ ଇତିହାସର ପ୍ରସାର ପାଇଁ ଓଡ଼ିଆ ସମାଜର ଏହି ସାଂସ୍କୃତିକ ମହାକୁମ୍ଭ ସାଧୁ ଉଦ୍ୟମ । ଏଥିପାଇଁ ଓଡ଼ିଆ ସମାଜର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର