‘ସାଫ୍ରନ୍‌ ସୋର୍ଡସ୍‌’ର ଓଡ଼ିଆ ଅନୁବାଦ ଉନ୍ମୋଚିତ

ନୂଆଦିଲ୍ଲୀ : ଗତ ୨୦୧୯ରେ ଇଂରାଜୀ ଭାଷାରେ ପ୍ରକାଶ ପାଇଥିବା ଇତିହାସ ପୁସ୍ତକ ‘ସାଫ୍ରନ୍‌ ସୋର୍ଡସ୍‌’ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଦୀର୍ଘ ୧୩୦୦ ବର୍ଷ ଧରି ବିଦେଶୀ ଆକ୍ରମଣକାରୀଙ୍କ ପ୍ରତି ଆମର ପୂର୍ବଜମାନେ ଯେପରି ପ୍ରତିରୋଧ ଦେଖାଇଛନ୍ତି, ସେମାନଙ୍କୁ ସମୟ ସମୟରେ ପରାସ୍ତ କରିଛନ୍ତି ଓ କେବେ କେବେ ଷଡ଼ଯନ୍ତ୍ରରେ ଶିକାର ହୋଇ ପ୍ରାଣବଳି ଦେଇଛନ୍ତି। ସେମାନଙ୍କ ସେହି ସର୍ବୋଚ୍ଚ ବଳିଦାନ, ବୀରତ୍ବ ଓ ଦେଶପ୍ରେମର ଦସ୍ତାବିଜ ହେଉଛି ‘ସାଫ୍ରନ୍‌ ସୋର୍ଡସ୍’।

ବହୁଳ ବିକ୍ରି (ବେଷ୍ଟ୍ ସେଲର୍‌)ର ମାନ୍ୟତା ହାସଲ କରିଥିବା ଏହି ପୁସ୍ତକକୁ ଓଡ଼ିଶାର ଯୁବ ଲେଖକ ଓ ଅନୁବାଦକ ଅନ୍ତର୍ଯାମୀ ମହାରଣା ଓଡ଼ିଆ ଭାଷାରେ ଅନୁବାଦ କରି ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବା ପାଇଁ ମାର୍ଗ ପ୍ରଶସ୍ତ କରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବ ତଥା ଆଲୋଚନାଚକ୍ରରେ ଆଜିର ମୁଖ୍ୟ ଅତିଥି ମେଜର୍‌ ଜେନେରାଲ୍‌ ଜିଡି ବକ୍ସି, ‘ସାଫ୍ରନ୍‌ ସୋର୍ଡସ୍‌’ର ମୂଳ ଲେଖିକା ମାନସୀ ସିହ୍ନା ରାଓଲ, ଗବେଷକ ଡ. ବିବୁଧରଞ୍ଜନ, କଥାକାର ପବିତ୍ର ପାଣିଗ୍ରାହୀ, ଲେଖକ ଅସିତ କୁମାର ପଣ୍ଡା, ଐତିହାସିକ ଅଜୟ କୁମାର ପଣ୍ଡା, କବି ଚିତ୍ତରଞ୍ଜନ ନାୟକ, ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅଭୟ ଦ୍ବିବେଦୀ, ଲେଖିକା ଲିପ୍ସା ପଣ୍ଡା, ଲେଖକ ଓ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳ, କବି କମଳ କୁମାର ମହାନ୍ତି ଓ କବି ସୁଧୀର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିକ୍ରମ ପରିଜା ସଭା ପରିଚାଳନା କରିଥିବାବେଳେ ମାନସୀ ସିହ୍ନା ଇତିହାସର ଅନାଲୋଚିତ ଅଧ୍ୟାୟ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଲକ୍ଷ୍ମଣ ଦେହୁରୀ ଓ ସଂଯୋଜକ ବିକ୍ରମ ପରିଜା ଶାନ୍ତି ମନ୍ତ୍ର ପାଠ କରି ସଭାକୁ ସାଙ୍ଗ କରିଥିଲେ। ନୂଆଦିଲ୍ଲୀରୁ ଗରୁଡ଼ ପ୍ରକାଶନ ତରଫରୁ ରାହୁଲ କୌଶିକ ଭର୍ଚୁଆଲ୍‌ ଗୁଗଲ୍‌ ମିଟ୍‌କୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର