ରାଜକୋଟ, ସାହରଣପୁର ଓ କାନପୁରରେ ପ୍ରବାସୀ ଶ୍ରମିକଙ୍କ ହଙ୍ଗାମା
ନୂଆଦିଲ୍ଲୀ: କୋଭିଡ-୧୯ ଲକ୍ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ମାତ୍ର ସେମାନଙ୍କ ଫେରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବାରୁ ଅଧିକାଂଶ ସ୍ଥାନରେ ଶ୍ରମିକମାନେ ହିଂସାକାଣ୍ଡ ଘଟାଇବାକୁ ପଛାଇ ନାହାନ୍ତି। ଗୁଜରାଟର ରାଜକୋଟଠାରେ ନିଜ ରାଜ୍ୟକୁ ଫେରୁଥିବା ୫୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ବ୍ୟାପକ ହିଂସା ଘଟାଇଛନ୍ତି। ଏହି ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବାକୁ ଚାହୁଥିବାବେଳେ ଗୁଜରାଟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯିବାରୁ ଉତ୍କ୍ଷିପ୍ତ ଶ୍ରମିକମାନେ ରାଜକୋଟ ଜାତୀୟ ରାଜପଥରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରମିକମାନଙ୍କ ଏହି ହିଂସାକାଣ୍ଡରେ ବହୁ ପୁଲିସ ଅଧିକାରୀ, ସାମ୍ବାଦିକଙ୍କ ସମେତ ରାଜକୋଟ ଏସ୍ପି ବଳରାମ ମୀନା ମଧ୍ୟ ଆହତ ହୋଇଛନ୍ତି। ସେହିଭଳି ଉତ୍ତର ପ୍ରଦେଶର ସାହରଣପୁରରେ ମଧ୍ୟ ବିହାରର ଶତାଧିକ ଶ୍ରମିକମାନେ ହିଂସାକାଣ୍ଡ ଘଟାଇଛନ୍ତି। ବିହାରର ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବାକୁ ବ୍ୟାକୁଳ ହେଉଥିବା ବେଳେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବାରୁ ଶ୍ରମିକମାନେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶତାଧିକ ଶ୍ରମିକ ସାହରଣପୁରର ଅମ୍ବାଲା ଜାତୀୟ ରାଜପଥରେ ହାତରେ ଲାଠି ଓ ଛଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନୁରୂପ ଭାବେ ଉତ୍ତରପ୍ରଦେଶର କାନପୁର-ଲକ୍ଷ୍ନୌ ଜାତୀୟ ରାଜପଥରେ ମଧ୍ୟ ଶତାଧିକ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।