ଅକ୍ସଫୋର୍ଡ ଟିକା ଆଶାପ୍ରଦ, ତଥାପି ଖୁସି ହେବାର ସମୟ ଆସିନି

ନୂଆଦିଲ୍ଲୀ: ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ସହ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟର ଜେନର ପ୍ରତିଷ୍ଠାନ ବିକଶିତ କରିଥିବା ସିଏଚ୍‌ଏଡିଓଏକ୍ସ-୧ ନାମକ ଟିକା ଗୁରୁତ୍ବପୂର୍ଣ୍ଣ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚିଛି। ବିଶ୍ବବ୍ୟାପୀ ସୁଗମ ଯୋଗାଣ ପାଇଁ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହଭାଗୀ ଥିବା ଉକ୍ତ ଟିକାର ପ୍ରଥମ ଦୁଇ ପର୍ଯ୍ୟାୟ ମାନବୀୟ ଫଳାଫଳର ବିଶଦ ବିବରଣୀ ପ୍ରଘଟ ହୋଇନଥିଲେ ହେଁ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍‌ରେ ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଛି। ଏହି ଟିକା କରୋନାଭୂତାଣୁ ସାର୍ସ-କୋଭ୍-୨ର ବହୁଗୁଣିତ ନହେବା ପାଇଁ ସୃଷ୍ଟି କରୁଥିବା ରୋଗପ୍ରତିରୋଧକ ଅନେକ ଦିନ ଯାଏ ସକ୍ରିୟ ରହିବା ସହ ଭୂତାଣୁର ବଇରୀ ଟି-କୋଷିକାକୁ ମଧ୍ୟ ଜାଗ୍ରତ ରଖିପାରୁଥିବା ଜଣାଯାଇଛି।

ଏପରି ହୋହରା ନିରାପତ୍ତା ଆଣୁଥିବା ଉକ୍ତ ଟିକା ବର୍ତ୍ତମାନର ଶ୍ରେଷ୍ଠ ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ ହେଁ ସେଥିପାଇଁ ଏବେଠାରୁ ଖୁସି ନ ହେବାର ଅନେକ କାରଣ ରହିଛି। ପ୍ରଥମତଃ ଜେନର ପ୍ରତିଷ୍ଠାନର ବୈଜ୍ଞାନିକମାନେ ମାତ୍ର ୩ ମାସ ଭିତରେ ଏଭଳି ଫଳାଫଳ ଆଣିଛନ୍ତି। ସୁତରାଂ ଖୁବ୍ କମ୍‌ ସମୟର ପରୀକ୍ଷା ନିରୀକ୍ଷା ହେତୁ ଏହାର ଦୀର୍ଘମିଆଦୀ ଫଳପ୍ରଦତା ଉପରେ ପ୍ରଶ୍ନବାଚୀ ଲାଗିବା ସ୍ବାଭାବିକ। ସେହିପରି ଏହାର ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିନାହିଁ। ସୁତରାଂ ସାର୍ବଜନୀନ ବ୍ୟବହାର ପାଇଁ ଏହାର ନିରାପତ୍ତା ସମ୍ପର୍କରେ ନିଃସନ୍ଦେହ ରହି ହେବନାହିଁ। ସେହିପରି କୌଣସି ଟିକାର ମାନବୀୟ ପରୀକ୍ଷଣ ବେଳେ କୌଣସି ପ୍ରକାର ପ୍ରତିକୂଳ ପ୍ରତିକ୍ରିୟା ଦେଖାଗଲେ ପରୀକ୍ଷାନିରୀକ୍ଷାକୁ ସେହି ପର୍ଯ୍ୟାୟରେ ବନ୍ଦ ରଖି ପୁଣି ମୂଳରୁ ଆରମ୍ଭ କରିବା ବିଧେୟ। ମାତ୍ର ଏହି ଟିକା କ୍ଷେତ୍ରରେ ସେଭଳି ହୋଇନାହିଁ। ଅଧାରୁ ସଂଶୋଧନ କରି ପୁଣି ନୈଦାନିକ ପରୀକ୍ଷଣ ପ୍ରକ୍ରିୟାକୁ ଅବ୍ୟାହତ ରଖାଯାଇଛି। ସୁତରାଂ ଉକ୍ତ ଟିକାର ଘୋଷିତ ଗୁଣାବଳିରେ ଉତ୍ସାହିତ ନହୋଇ ଆମକୁ ଏହାର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ ଯାଏ ଅପେକ୍ଷା କରିବାକୁ ହେବ ବୋଲି ଅନେକ ଭୁତାଣୁ ବିଶେଷଜ୍ଞ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର