ବର୍ଷ ଶେଷ ସୁଦ୍ଧା ଆସିପାରେ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ବହୁ ଆକାଂକ୍ଷିତ ଏଜେଡ୍‌ଡି୧୨୨୨ ବା ସିଏଚ୍‌ଏଡିଓଏକ୍ସ୧ନାମକ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସାମୟିକ ଭାବେ ବ୍ୟାହତ ହେବା ପରେ ପୁଣି ଆରମ୍ଭ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭ ବେଳକୁ ଉକ୍ତ ଟିକା ବଜାରରେ ଉପଲବ୍‌ଧ ହୋଇପାରିବ ବୋଲି ଆଷ୍ଟ୍ରାଜେନେକାର କାର୍ଯ୍ୟନିର୍ବାହୀ ପାସ୍କାଲ ସୋରିଅତ୍‌ ଆଶାବାଦୀ ଥିବା କହିଛନ୍ତି। ଚୂଡ଼ାନ୍ତ ପରୀକ୍ଷଣ ବେଳେ ଜଣେ ସ୍ବେଚ୍ଛାସେବୀଙ୍କ ଠାରେ ସ୍ନାୟବିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାରୁ ପରୀକ୍ଷଣକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ମାନେ ନୁହେଁ କମ୍ପାନି ଟିକା ଦୌଡ଼ରୁ ଓହରିଯାଇଛି। ବିଶେଷଜ୍ଞମାନେ ଏହାର ପ୍ରତିକାର ପାଇଁ ଅଧିକ ସମୟ ନେଇ ନିଦାନ ବାହାର କରିପାରିବେ ବୋଲି ସୋରିଅତ୍‌ କହିଛନ୍ତି। ବର୍ତ୍ତମାନ ସ୍ଥଗିତ ଥିବା ପରୀକ୍ଷଣ ପୁନଃ ଚାଲୁ ହୋଇଥିବା ବେଳେ ନଭେମ୍ବର ଶେଷ ବେଳକୁ ଏହା ସରିଯିବ ବୋଲି ଆଶା କରାଯାଉଛି। ସୁତରାଂ ସବୁ କିଛି ଠିକ୍‌ଠାକ୍‌ ରହିଲେ ଏହାର ଫଳାଫଳ ତଥ୍ୟ ନିୟାମକ ଅଧିକାରୀଙ୍କୁ ଯୋଗାଇଦେବା ପରେ ଟିକା ଆସିବାରେ କିଛି ସମସ୍ୟା ରହିବନି ବୋଲି ସେ ଭରସା ରଖିଛନ୍ତି।

ସମ୍ବନ୍ଧିତ ଖବର