ନୂଆଦିଲ୍ଲୀ: ଭାରତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ବନ୍ଦ କରିବାର କୌଣସି କାରଣ ନାହିଁ। ଅକ୍ସଫୋର୍ଡ ଟିକାର ପରୀକ୍ଷଣରେ ସାମିଲ ଚେନ୍ନାଇର ଜଣେ ସ୍ବେଚ୍ଛାସେବୀଙ୍କ ଦାବିକୁ ଖଣ୍ଡନ କରିଛନ୍ତି ସରକାର। ଦେଶରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ବନ୍ଦ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷେ ସିରମ୍ ପକ୍ଷରୁ କୁହାଯାଇଛି ଯେ, ଅକ୍ସଫୋର୍ଡ ଟିକା ସୁରକ୍ଷିତ। ଟିକାର ପରୀକ୍ଷଣକୁ ନେଇ ହୋଇଥିବା ଅଭିଯୋଗକୁ ଭଲଭାବେ ପରୀକ୍ଷା କରିବାପରେ ତଥ୍ୟ ଏବଂ ସୁରକ୍ଷା ଅନୁଧ୍ୟାନ ବୋର୍ଡ ଏବଂ ନୈତିକ କମିଟି ଟିକା ପରୀକ୍ଷଣକୁ ଅନୁମତି ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଚେନ୍ନାଇର ଜଣେ ୪୦ ବର୍ଷୀୟ ମାର୍କେଟିଙ୍ଗ୍ କର୍ମଚାରୀ ଅକ୍ସଫୋର୍ଡ ଟିକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ଜଣେ ସ୍ବେଚ୍ଛାସେବୀ ଥିଲେ।
ତେବେ ଏହି ସ୍ବେଚ୍ଛାସେବୀ ଟିକାର ପରୀକ୍ଷାମୂଳକ ମାତ୍ରା ନେବାପରେ ତାଙ୍କର ସ୍ମୃତି ହ୍ରାସ ଏବଂ ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ସ୍ବେଚ୍ଛାସେବୀଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ପରୀକ୍ଷାମୂଳକ ଭାବେ ଟିକାର ମାତ୍ରା ଗ୍ରହଣ କରିବାପରେ ତାଙ୍କ ସୃଜନଶୀଳତା ଆଉ ନାହିଁ। ସେ ଏକ ଆମେରିକୀୟ ପ୍ରକଳ୍ପ ହରାଇଲେ। ଏପରିକି ସାଧାରଣ ଅନ୍ଲାଇନ୍ ପେମେଣ୍ଟ୍ କରିବା ମଧ୍ୟ ତାଙ୍କ ପାଇଁ କଷ୍ଟଦାୟକ ହୋଇଯାଇଛି। ତେଣୁ ସେ ଗତ ନଭେମ୍ବରରେ ଟିକା ନିର୍ମାତାଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଥିଲେ। ସ୍ବେଚ୍ଛାସେବୀଙ୍କ ପରିବାର ପକ୍ଷରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଥିଲା। ଅନ୍ୟପକ୍ଷେ ସିରମ୍ ପକ୍ଷରୁ ଚେନ୍ନାଇ ସ୍ବେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ଏକ ମାନହାନି ନୋଟିସ୍ ପଠାଯାଇଛି। କିନ୍ତୁ ପରିଶେଷରେ ସରକାର ଟିକା ପରୀକ୍ଷଣକୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି।