ଏଷ୍ଟ୍ରାଜେନେକା ସିଇଓଙ୍କ ଦାବି: ଅକ୍ସଫୋର୍ଡ ଟିକା ୯୫% ସୁରକ୍ଷା ଦେବ

ନୂତନ ପ୍ରଜାତିର କରୋନାଭାଇରସ୍‌ ମୁକାବିଲା କରିବାକୁ ସକ୍ଷମ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବ୍ରିଟିଶ୍‌ ଫାର୍ମାସ୍ୟୁଟିକାଲ କମ୍ପାନି ଏଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କରୋନା ଟିକା ଭାଇରସରୁ ୯୫ ପ୍ରତିଶତ ସୁରକ୍ଷା ଦେବ। ଏହା ଫାଇଜର ଏବଂ ମଡର୍ଣ୍ଣା ଟିକାର ସମକକ୍ଷ ଏବଂ ସମାନ ପ୍ରଭାବଶାଳୀ ବୋଲି ସିଇଓ ପାସ୍କଲ ସୋରିଏଟ୍‌ କହିଛନ୍ତି। ବ୍ରିଟିଶ୍‌ ଖବରକାଗଜ ‘ସଣ୍ଡେ ଟାଇମ୍‌ସ’କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟିକା ଭାଇରସ୍‌ ବିରୋଧରେ ୯୫ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ବୈଜ୍ଞାନିକମାନେ ସଂପୂର୍ଣ୍ଣ ସଫଳ ଫର୍ମୁଲାରେ ଏହି ଟିକା ପ୍ରସ୍ତୁତ କରିଛନ୍ତି, ଯାହାକି କରୋନାର ସମସ୍ତ ପ୍ରଜାତିର ଭୂତାଣୁ ସହ ମୁକାବିଲା କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅକ୍ସଫୋର୍ଡ ସହ ଚୁକ୍ତି କରି ଏହି ଟିକା ପ୍ରସ୍ତୁତ କରୁଛି। ଭାରତରେ ଏହାର ନାମ କୋଭିସିଲ୍‌ଡ ରହିଛି ଏବଂ କେନ୍ଦ୍ର ସରକାର ଏହାକୁ ଜରୁରୀ ବ୍ୟବହାର ପାଇଁ ମଂଜୁରି ଦେବାକୁ ବିଚାର କରୁଛନ୍ତି। ଆମେରିକା ଏବଂ ୟୁରୋପ୍‌ରେ ଟିକାକରଣ ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଭାରତରେ ମଧ୍ୟ ଏ ଦିଗରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅକ୍ସଫୋର୍ଡ ଟିକାର ପରିବହନ ଓ ସଂରକ୍ଷଣ ଦିଗରେ ବିଶେଷ ସମସ୍ୟା ନଥିବାରୁ ଦେଶରେ ଟିକାକରଣ ପ୍ରକ୍ରିୟାରେ ଏହା ଅଗ୍ରଣୀ ଭୂମିକା ନେବ ବୋଲି କୁହାଯାଉଛି।

୬ ମାସରେ ଭାରତରେ ସର୍ବନିମ୍ନ ୧୮,୭୩୨ ନୂଆ ସଂକ୍ରମଣ
ନୂଆଦିଲ୍ଲୀ: ବିଗତ ୬ ମାସରେ ସବୁଠାରୁ କମ୍‌ ଦୈନିକ ସଂକ୍ରମଣ ଆଜି ରିପୋର୍ଟ ହୋଇଛି। ୨୪ ଘଣ୍ଟାରେ ୧୮,୭୩୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ଏବଂ କେରଳରେ ସର୍ବାଧିକ ୩,୫୨୭ଟି ମାମଲା ରହିଛି। ଏହାକୁ ମିଶାଇ ଦେଶରେ ଅଦ୍ୟାବଧି ମୋଟ ୧ କୋଟି ୧ ଲକ୍ଷ ୮୭ ହଜାର ୮୫୦ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି। ସେହିପରି ବିଗତ ୨୪ ଘଣ୍ଟାରେ ୨୭୯ ଜଣଙ୍କର ମୃତ୍ୟୁ ଘଟିବା ସହ ମୋଟ ମୃତକଙ୍କ ସଂଖ୍ୟା ଲକ୍ଷେ ୪୭ ହଜାର ୬୨୨ରେ ପହଞ୍ଚିଛି। ଅପରପକ୍ଷେ, ଦିନକ ଭିତରେ ୨୧ ହଜାର ୪୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ ସମ୍ପ୍ରତି ମୋଟ ୨ ଲକ୍ଷ ୭୮ ହଜାର ୬୯୦ ଜଣ କୋଭିଡ୍‌ ପୀଡ଼ିତ ଚିକିତ୍ସାଧୀନ ରହିଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬ କୋଟି ୮୧ ଲକ୍ଷ ୨ ହଜାର ୬୫୭ ଜଣଙ୍କର ନମୁନା ପରୀକ୍ଷଣ ହୋଇସାରିଛି।

କୋଭାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ୭୫୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ପ୍ରଥମ ଡୋଜ୍‌
ଅହମ୍ମଦାବାଦ : ଭାରତ ବାୟୋଟିକ୍‌ ଦ୍ବାରା ବିକଶିତ କରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜିଠାରୁ ଆରମ୍ଭ ହୋଇଛି। ଅହମ୍ମଦାବାଦର ସୋଲା ସିଭିଲ୍‌ ହସ୍ପିଟାଲରେ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଉଛି। ଏହି ହସ୍ପିଟାଲର ଟିବି ଏବଂ ଛାତି ରୋଗ ବିଭାଗ ମୁଖ୍ୟ ଡାକ୍ତର କିରଣ ରାମି କହିଛନ୍ତି, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଡାକ୍ତର, ନର୍ସିଂ ଷ୍ଟାଫ୍‌, ପାରାଚିକିତ୍ସକ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୭୫୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ଦିଆଯାଇଛି। ଭ୍ୟାକ୍‌ସିନ୍‌ ଦିଆଯିବା ପରେ କାହାରି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ। କୋଭାକ୍ସିନ୍‌ ଦିଆଯାଇଥିବା ସ୍ବେଚ୍ଛାସେବୀମାନଙ୍କୁ ନିୟମିତ ନିରୀକ୍ଷଣରେ ରଖାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର