ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ ଭାରତର ୩ ହଜାରରୁ ଅଧିକ ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛନ୍ତି। ପାକିସ୍ତାନ ହାଇକମିଶନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି । ଗୁରୁ ନାନକ ଜୟନ୍ତୀ ଅବସରରେ ପାକିସ୍ତାନରେ ହେବାକୁ ଥିବା ଭବ୍ୟ ଉତ୍ସବରେ ଏହି ତୀର୍ଥଯାତ୍ରୀମାନେ ଅଂଶଗ୍ରହଣ କରିବେ। ଏହି ସମାରୋହ ୧୪ରୁ ୨୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିବ। ଗୁରୁ ନାନକ ଜୟନ୍ତୀ ଶିଖ୍ ସମ୍ପ୍ରଦାୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ । ଚଳିତ ବର୍ଷ ନଭେମ୍ବର ୧୫ରେ ଗୁରୁ ନାନକ ଜୟନ୍ତୀ ପାଳିତ ହେବ।
ଏହି ଅବସରରେ ଦାୟିତ୍ୱରେ ଥିବା ରାଷ୍ଟ୍ରଦୂତ ସାଦ ଅହମ୍ମଦ ୱାରାଇଚ୍ ଖୁସି ବ୍ୟକ୍ତ କରିବା ସହ ତୀର୍ଥଯାତ୍ରୀଙ୍କ ସଫଳ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକୀୟ ଡଲାର ଆଣିବା ପାଇଁ ପାକିସ୍ତାନ ସରକାରଙ୍କ ପରାମର୍ଶ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପାକିସ୍ତାନ ପକ୍ଷରୁ ପ୍ରକୃତ କେତେ ଭିସା ଜାରି କରାଯାଇଛି ସେ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଜୀଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ଗୁରୁ ନାନକ ଜୟନ୍ତୀ ପାଳନ କରାଯାଏ । ଚଳିତ ବର୍ଷ ନଭେମ୍ବର ୧୫, ଶୁକ୍ରବାର ଦିନ ଗୁରୁ ନାନକ ଜୟନ୍ତୀ ପାଳିତ ହେବ। ପାକିସ୍ତାନ ଗସ୍ତରେ ଆସୁଥିବା ଭାରତୀୟ ଶିଖ୍ ତୀର୍ଥଯାତ୍ରୀମାନେ ଡେରା ସାହିବ, ପଞ୍ଜା ସାହିବ, ନାନକାନା ସାହିବ ଏବଂ କରତାରପୁର ସାହିବ ବୁଲିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/10/5MwcJQF6N1mRB2zvpsRf.jpeg)