ଟିକାର ପ୍ରଭାବ ମୂଲ୍ୟାୟନ ପାଇଁ ସୁପାରିସ କଲେ ସଂସଦୀୟ କମିଟି

ଟେଷ୍ଟିଂ ସୁବିଧା ବଢ଼ାଇବା ପାଇଁ ସୁପାରିସ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍‌ ପ୍ରଜାତି ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ଦେଶରେ ଆଜି ସୁଦ୍ଧା ମୋଟ ୪ଟି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ତେବେ ଓମିକ୍ରନ୍‌ ପ୍ରଜାତିକୁ ନେଇ ଚିନ୍ତା ବଢ଼ିଥିବା ବେ‌ଳେ ସଂସଦୀୟ ଷ୍ଟାଣ୍ଡିଂ କମିଟି କରୋନା ଟିକାର ପ୍ରଭାବ ମୂଲ୍ୟାୟନ ପାଇଁ ସୁପାରିସ କରିଛନ୍ତି। ନୂଆ ସଂକ୍ରମଣ ରୋକିବାପାଇଁ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନେଇ ଅଧିକ ଗବେଷଣା ହେବା ଆବଶ୍ୟକ ବୋଲି ସଂସଦୀୟ କମିଟି କହିଛନ୍ତି । ସ୍ବା‌ସ୍ଥ୍ୟ ସଂକ୍ରାନ୍ତ ସଂସଦୀୟ ଷ୍ଟା‌ଣ୍ଡିଂ କମିଟି ଆଜି ଏହାର ରିପୋର୍ଟ ଦାଖଲ କରି କହିଛନ୍ତି ଯେ ଓମିକ୍ରନ୍‌କୁ ନଜରରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ‌ହେବ।

ଦ୍ବିତୀୟ ଲହରରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାକୁ ନଜରରେ ରଖି ସରକାର ସଂକ୍ରମଣ ରୋକିବା ଦିଗରେ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ତାହା ଯଥେଷ୍ଟ ନୁ‌ହେଁ। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଅଧିକ ଫୋକସ୍‌ କରିବାକୁ ସଂସଦୀୟ କମିଟି ସୁପାରିସ କରିଛନ୍ତି। ବେଡ୍‌ର ଆବଶ୍ୟକତା, ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଣ ଏବଂ ଆବଶ୍ୟକୀୟ ଔଷଧ ଯୋଗାଣ ଦିଗରେ ସରକାର ଫୋକସ୍‌ କରିବାକୁ କହିଛନ୍ତି।

ଦେଶରେ ଗ୍ରାମୀଣ ଅଞ୍ଚଳରେ ଟେଷ୍ଟିଂ ସୁବିଧା ବୃଦ୍ଧି କରିବା ପାଇଁ କମିଟି ସୁପାରିସ କରିଛନ୍ତି। ସେହିପରି ରାଜ୍ୟମାନଙ୍କରେ ପିଏଚ୍‌ସି, ସିଏଚ୍‌ସି ଏବଂ ଭିଆରଡିଏଲ୍‌ ମଧ୍ୟରେ ତାଳମେଳ ରଖିବାପାଇଁ କମିଟି ସୁପାରିସ କରିଛନ୍ତି। ସଠିକ୍‌ ସମୟରେ ରୋଗ ଚିହ୍ନଟ ଏବଂ ସଂକ୍ରମିତ ବ୍ୟକ୍ତି ସଙ୍ଗରୋଧରେ ରହିବାଦ୍ବାରା ମହାମାରୀର ପ୍ରଭାବ କମିପାରିବ। ତେଣୁ ଟେଷ୍ଟିଂର ବହୁତ ଗୁରୁତ୍ବ ରହିଛି ।

କୋଭିଡ୍-୧୯ ଟିକା ଏଡ଼ାଇବା ପାଇଁ ନକଲି ବାହୁ କିଣିଲେ ଇଟାଲି ନାଗରିକ

ରୋମ୍: କୋଭିଡ୍‌-୧୯ ମହାମାରୀକୁ ମୁକାବିଲା କରିବା ପାଇଁ ଇଟାଲି କଡ଼ା ନିୟମକାନୁନ ଘୋଷଣା କରିବାର ସପ୍ତାହକ ପରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଟିକା ନ ନେଲେ କୌଣସି ସାମାଜିକ, ସାଂସ୍କୃତିକ ବା କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗ ଦେଇପାରିବ ନାହିଁ ବୋଲି ସରକାର ନିୟମ କରିବା ପରେ ଟିକା ନେବାକୁ ଚାହୁଁ ନ ଥିବା ଜଣେ ଦନ୍ତ ଚିକିତ୍ସକ ଶହ ଶହ ୟୁରୋ ଖର୍ଚ୍ଚ କରି ଗୋଟିଏ ନକଲି ବାହୁ କିଣି ହଟହଟା ହୋଇଥିବା ଜଣାପଡ଼ିଛି। ବ୍ୟକ୍ତି ଜଣକ ଟିକା ନେଇ ନ ଥିବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା।

ତା’ପରେ କୌଣସି ସାମାଜିକ ବା ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବ ନାହିଁ ବୋଲି ସରକାର ନିୟମ କରିବା ପରେ କୌଣସି ପ୍ରକାରେ ଟିକାକରଣ ସାର୍ଟିଫିକେଟ ଖଣ୍ଡିଏ ହାସଲ କରିବା ପାଇଁ ବହିଷ୍କୃତ ଦନ୍ତ ଚିକିତ୍ସକ ଜଣକ ସିଲିକନ ନିର୍ମିତ ଏକ ନକଲି ବାହୁ (ଆର୍ମ) କିଣି ଜାମା ତଳେ ତାକୁ ପିନ୍ଧି ଟିକା ନେବାକୁ ଯାଇଥିଲେ। ଭାବିଥିଲେ ତାଙ୍କ ଅସଲି ହାତକୁ ଘୋଡ଼େଇ ରଖିଥିବା ତାଙ୍କ ସିଲିକନ ହାତ ବିଷୟରେ କେହି ଜାଣିପାରିବେନି। କିନ୍ତୁ ଟୁରିନ ନିକଟସ୍ଥ ବେଲା ସହରର ସ୍ବାସ୍ଥ୍ୟକର୍ମୀମାନଙ୍କୁ ବୋକା ବନେଇବାରେ ସେ ସଫଳ ହୋଇପାରି ନ ଥିଲେ। ନର୍ସ ଫିଲିପା ବୁଆ ଜାମା ଟେକି ଟିକା ଦେବାକୁ ଭେନ୍ ଖୋଜିବା ବେଳେ ନକଲି ହାତଟା ତାଙ୍କୁ ଥଣ୍ଡା ଓ ରବର ପରି ଲାଗିଥିଲା ଏବଂ ତାଙ୍କୁ ଭେନ୍ ମିଳି ନ ଥିଲା। ନକଲି ହାତର ରହସ୍ୟ ଜଣାପଡ଼ିବା ପରେ ସ୍ବାସ୍ଥ୍ୟକର୍ମୀମାନେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ।

ଟିକା ନ ନେବାରୁ ପ୍ରଥମେ ଦନ୍ତ ଚିକିତ୍ସକଙ୍କର ଚାକିରି ଗଲା, ଏବେ ପୁଣି ଜେଲ ବି ହେଲା। ଟିକା ନ ନେଇ ସାର୍ଟିଫିକେଟ ଚାହୁଁଥିବା ଲୋକଙ୍କୁ ନକଲି ଟିକାକରଣ ସାର୍ଟିଫିକେଟ୍ ଦେଇ ଇଟାଲିରେ ଜଣେ ଡାକ୍ତର ବି ପୂର୍ବରୁ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର