ନୂଆଦିଲ୍ଲୀ : ୧୮୪୮ ମସିହାରେ ସାବିତ୍ରୀ ଫୁଲେ ଏବଂ ତାଙ୍କ ସ୍ବାମୀ ଜ୍ୟୋତିରାଓ ଫୁଲେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ। ତାହାର ୩୫ ବର୍ଷ ପରେ ବ୍ରିଟିସ ଶାସନ ଅମଳରେ ଚନ୍ଦ୍ରମୁଖୀ ବସୁ ଏବଂ କାଦମ୍ବିନୀ ଗାଙ୍ଗୁଲି ଭାରତର ପ୍ରଥମ ମହିଳା ସ୍ନାତକ ହୋଇଥିଲେ। ପ୍ରଥମ ମହିଳା ସ୍ନାତକ ବାହାରିବା ଠାରୁ ଆରମ୍ଭ କରି ଶ୍ରମ ଶକ୍ତିରେ ଲିଙ୍ଗଗତ ସମାନତା ଆସିବା ଲାଗି ୧୪୦ ବର୍ଷ ଏକ ପର୍ଯ୍ୟାପ୍ତ ସମୟ ବୋଲି କୁହାଯାଇପାରିବ। କିନ୍ତୁ ୨୦୨୩ ମସିହା ସୁଦ୍ଧା ଏ କ୍ଷେତ୍ରରେ ଉନ୍ନତି ଆସିନାହିଁ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ତଥ୍ୟ ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟ ଭାରତରେ ୫୦.୯ ପ୍ରତିଶତ ରହିଛି। ଦେଶର ମୋଟ ଶ୍ରମଶକ୍ତିରେ ପୁରୁଷ ଶ୍ରମଶକ୍ତିର ଯୋଗଦାନ ୭୦.୧ ପ୍ରତିଶତ ଥିବାବେଳେ ମହିଳା ଶ୍ରମଶକ୍ତିର ଯୋଗଦାନ କେବଳ ୧୯.୨ ପ୍ରତିଶତ ରହିଛି।
ବିଶ୍ବ ଅର୍ଥନୈତିକ ଫୋରମ୍ର ଲିଙ୍ଗଗତ ପାର୍ଥକ୍ୟ ରିପୋର୍ଟ ୨୦୨୨ରେ ଭାରତ ୧୪୬ଟି ଦେଶ ମଧ୍ୟରେ ୧୩୫ତମ ସ୍ଥାନରେ ରହିଛି। ଏପରିକି ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେପାଳ ଭଳି ଛୋଟ ଛୋଟ ଦେଶଠାରୁ ବି ପଛରେ ରହିଛି। ୫ ପ୍ରତିଶତରୁ ଅଧିକ ଲିଙ୍ଗଗତ ଅସମାନତା ଥିବା ୫ଟି ଦେଶ ମଧ୍ୟରେ ଭାରତ ରହିଛି। ଅନ୍ୟ ଦେଶଗୁଡ଼ିକ ହେଲେ ଚୀନ, ପାକିସ୍ତାନ, ଆଜରବୈଜାନ ଏବଂ କତାର। ଲିଙ୍ଗଗତ ସମାନତା କ୍ଷେତ୍ରରେ ଯେଉଁ ଅଗ୍ରଗତି ଦେଖାଦେଇଥିଲା ତାହା ପ୍ରଭାବିତ ହୋଇଛି। ଏପରିକି କରୋନା ମହାମାରୀ ଯୋଗୁ ବିପରୀତ ହୋଇଛି। ବର୍ତ୍ତମାନର ଅଗ୍ରଗତି ଅନୁସାରେ ବିଶ୍ବରେ ଶ୍ରମ ଶକ୍ତିରେ ଲିଙ୍ଗଗତ ସମାନତା ଆସିବା ଲାଗି ୧୩୨ ବର୍ଷ ଲାଗିବ ବୋଲି ବିଶ୍ବ ଅର୍ଥନୈତିକ ଫୋରମ କହିଛି।
ଆଇଏଲଓର ସୂଚନା ଅନୁଯାୟୀ, ୫୨ ପ୍ରତିଶତ ମହିଳା ଅର୍ଥ ମିଳୁଥିବା କାର୍ଯ୍ୟ କିମ୍ବା ସବୈତନିକ କାର୍ଯ୍ୟ ଓ ଘରୋଇ କାମ କରିବାକୁ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ବିଷୟ ହେଲା ଗତ ଦୁଇ ଦଶନ୍ଧି ମଧ୍ୟରେ ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ହାର ହ୍ରାସ ପାଉଛି। ୨୦୦୫ରେ ଏହା ୩୨ ପ୍ରତିଶତ ଥିବାବେଳେ ୨୦୨୧ରେ ୧୯ ପ୍ରତିଶତକୁ କମିଛି।