ଆଜି ୨୮ ତାରିଖ ରବିବାର, ସବରକରଙ୍କ ଜୟନ୍ତୀ। ନୂଆ ସଂସଦ ଭବନ ଉଦ୍ଘାଟନ ଓ ରାଜଦଣ୍ଡ (ସେଙ୍ଗୋଲ)ର ସଂସ୍ଥାପନା ହେଉଛି। ଉଦ୍ଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନ ଡାକି ମୋଦୀ ନିଜେ କାହିଁକି ଉଦ୍ଘାଟନ ପାଇଁ ଏତେ ବ୍ୟାକୁଳ ହୋଇପଡ଼ିଲେ, ସେ ନେଇ ୧୯ ବିରୋଧୀ ଦଳ ପ୍ରସଙ୍ଗଟିରେ ବିବାଦ ସୃଷ୍ଟି କରିସାରିଛନ୍ତି। ଅନ୍ୟ ପକ୍ଷରେ, ଉଦ୍ଘାଟନ ଉତ୍ସବ ପାଇଁ ଏକ ବାତାବରଣ ତିଆରି କରିବା ଉଦ୍ଦେଶ୍ୟରେ ତିନିଦିନ ତଳୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ସେଣ୍ଟ୍ରାଲ ଭିଷ୍ଟା ଉପରେ ନିର୍ମିତ ଏକ କ୍ଷୁଦ୍ର ବୃତ୍ତଚିତ୍ରକୁ ଟ୍ବିଟ୍ କରିବା ପରେ କିଛି ନୂଆ ବିବାଦ ପଦାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ବିତଣ୍ଡା ଯୁକ୍ତିସବୁ ଆରମ୍ଭ ହୋଇଯାଇଛି। ପ୍ରସଙ୍ଗଟି କୋଉ କଥାରୁ ଯାଇ କୋଉ କଥାରେ ପହଞ୍ଚିଲାଣି ତା’ର କେହି କିଛି ଥଳକୂଳ ପାଇବା କଷ୍ଟ।
ମୋଦୀ ଉପରୋକ୍ତ ପୋଷ୍ଟକୁ ଏକାଧିକ ଥର ନିଜ ମନ୍ତବ୍ୟ ସହ ରି-ଟ୍ବିଟ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ତାଙ୍କ ମନ୍ତ୍ରିମଣ୍ଡଳର ସଭ୍ୟସଭ୍ୟାଙ୍କ ସମେତ ତାଙ୍କର ଅଗଣିତ ସମର୍ଥକ ତାଙ୍କ କଥା ମାନି ଗଣତନ୍ତ୍ରର ଏହି ନୂଆ ମନ୍ଦିର ପ୍ରତିଷ୍ଠାକୁ ଉତ୍ସବମୁଖର କରିବାକୁ ଲାଗିପଡ଼ିଛନ୍ତି। ହେଲେ କୌତୂହଳର କଥା, ବିରୋଧୀ ମେଣ୍ଟ (ଜେଡିୟୁ-ଆର୍ଜେଡି) ଶାସନାଧୀନ ବିହାର ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଅରବିନ୍ଦ ପାଣ୍ଡେ ମଧ୍ୟ ମୋଦୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ସାବରକରଙ୍କ ଜୟନ୍ତୀରେ ସଂସଦ ଭବନ ଉଦ୍ଘାଟନ ହେବାର ଯାଥାର୍ଥ୍ୟ, ମନୁସଂହିତା ବର୍ଣ୍ଣିତ ରାଜ୍ୟାଭିଷେକର ଆଲୋଚ୍ୟ ରାଜଦଣ୍ଡ ପ୍ରକୃତରେ ପୁରୋହିତଙ୍କ ଧର୍ମଦଣ୍ଡ -ଏସବୁ ନେଇ ଏକ ଭିଡିଓ ବାର୍ତ୍ତା ଛାଡ଼ିଛନ୍ତି। ତେବେ ନୀତୀଶଙ୍କ ପୁଲିସ ଡିଜି ମୋଦୀଙ୍କୁ ଏଭଳି ଖୋଲା ସମର୍ଥନ କରିବା କିଛି ଲୋକଙ୍କ ଦେହରେ ଯାଇନାହିଁ। ବ୍ଲୁ-ଟିକ୍ ଥିବା ଶ୍ରୀ ପାଣ୍ଡେଙ୍କ ଆକାଉଣ୍ଟରୁ ହୋଇଥିବା ଏହି ପୋଷ୍ଟଟିକୁ ସନ୍ଦେହ କରି ତାଙ୍କୁ ସିଧା ପ୍ରଶ୍ନ ହୋଇଛି, ‘‘ଆପଣ ସତରେ ବିହାର ପୁଲିସ ମହାନିର୍ଦ୍ଦେଶକ ନା କେହି ହ୍ୟାକ୍ କରି ଏସବୁ ଲେଖିଛି? ଯଦି ଆପଣ ସତରେ ସେଇ ଲୋକ, ଆପଣଙ୍କ କଥାରୁ ଜଣାପଡ଼ୁଛି ବିହାରରେ ବିଜେପି କ୍ଷମତାକୁ ଆସିବ ଜାଣି ଆପଣ ଆଜିଠୁ ଏମିତି ଉଚ୍ଛନ୍ନ ହେଲେଣି।
/sambad/media/post_attachments/wp-content/uploads/2023/05/26-19.jpg)
ଆସନ୍ତା ଲୋକସଭା ନିର୍ବାଚନରେ ଆପଣ ବିଜେପି ଟିକଟ ପାଇବା ନିଶ୍ଚିତ।’’ ଆଉ ଜଣେ ନେଟିଜେନ୍, ସାରନାଥରେ ଥିବା ସମ୍ରାଟ ଅଶୋକଙ୍କ ଧର୍ମଦଣ୍ଡ କଥା ଉଲ୍ଲେଖ କରିଛନ୍ତି। ତେବେ ତାଙ୍କୁ ଅଖାଡ଼ୁଆ ପ୍ରଶ୍ନ ପଚାରି ପ୍ରସଙ୍ଗଠାରୁ ଦୂରେଇଯାଇଛନ୍ତି ଆଉ କିଛି ଲୋକ। ଯଦି ବୁଦ୍ଧ ଏତେ ମହାନ, ତ ଶୁଦ୍ରମାନଙ୍କ ସଭାକୁ ଗଲେନାହିଁ କାହିଁକି? ତା’ପରେ ଆରମ୍ଭ ହୋଇଯାଇଛି ଅଶ୍ରାବ୍ୟ ଭାଷାରେ ପରସ୍ପର ପ୍ରତି ଗାଳିଗୁଲଜ। ‘ତୁ ଆଗ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଦିୱାଲି ଉତ୍ସବ ପାଳନ କରେଇକି ଦେଖେଇଦେ, ତା’ପରେ ସନାତନ ଧର୍ମ ବାବଦରେ ଜ୍ଞାନ ବାଣ୍ଟିବୁ’ ବୋଲି କଡ଼ା ଭାଷାରେ ଉତ୍ତର ଦିଆଯାଇଛି। ଜଣେ କ୍ରୋଧିତ ହୋଇ କହିଛନ୍ତି, ‘‘ଆରେ ମୂର୍ଖମାନେ! ମୁଁ ଯାହା ପଢ଼ିଛି, ଅଶୋକ ନୁହନ୍ତି, ତାଙ୍କ ପିତାମହ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ହିଁ ପ୍ରଥମେ ଅଖଣ୍ଡ ଭାରତ ଗଢ଼ିଥିଲେ।’’
ତେଣେ ଶ୍ରୀ ପାଣ୍ଡେଙ୍କ ମୂଳ ପୋଷ୍ଟରେ ଜଣେ ଛିଗୁଲେଇକି ଲେଖିଛନ୍ତି, ଯଦି ସବରକର ବୀର ଥିଲେ, ତ ଭଗତ ସିଂହ, ରାଜଗୁରୁ, ସୁଖଦେବଙ୍କ ପରି ସହିଦ ମିଛଟାରେ କାହିଁକି ପ୍ରାଣବଳି ଦେଉଥିଲେ! ଆପଣ ପରା ଇତିହାସ, ଭୂଗୋଳ ଆଦି ପଢ଼ି ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏଇ ପଦବିକୁ ଆସିଛନ୍ତି! ଅତି କମ୍ରେ ତ ନିଜ ପଦବିର ମର୍ଯ୍ୟାଦା ରଖନ୍ତୁ!! ଏମିତି ଦଳୀୟ କର୍ମକର୍ତ୍ତାଙ୍କ ଭଳି ବ୍ୟବହାର କାହିଁକି କରୁଛନ୍ତି? ଅନ୍ୟ ପକ୍ଷରେ, ସନାତନ ଧର୍ମ ପାଇଁ ଖୋଲା ପ୍ରଚାର କରିବାରେ ପାଣ୍ଡେଙ୍କ ସାହସକୁ ପ୍ରଶଂସା ମଧ୍ୟ କରାଯାଇଛି।
ଏସବୁ ଆଲୋଚନା ଦେଖି ଜଣେ ଲେଖିଛନ୍ତି, ଭାଙ୍ଗନିଶା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/27-19.jpg)