ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସ ବିଧାୟକ କେ ଆର୍ ରମେଶ କୁମାରଙ୍କ ଅପମାନଜନକ ‘ ଏନ୍ଜୟ ରେପ୍’ ଟିପ୍ପଣୀ ପାଇଁ କଂଗ୍ରେସ ଦଳ ଲଜ୍ଜିତ ହୋଇଛି। କଂଗ୍ରେସ ବିରୋଧରେ ବିଜେପି ସ୍ବର ଶାଣିତ କରିଛି। ବିରୋଧ ବଢ଼ିବାପରେ କେଆର୍ ରମେଶ କୁମାର ଆଜି ବିଧାନସଭାରେ କ୍ଷମା ମାଗିଛନ୍ତି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଏହି ସମୟରେ ବିରୋଧୀ ଦଳ ନେତାମାନେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପ୍ରସଙ୍ଗକୁ ନେଇ ତାଙ୍କୁ ଘେରି ଯାଇଥିଲେ। ସ୍ମୃତି କିନ୍ତୁ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ ।
ସ୍ମୃତି କହିଥିଲେ, ଯଦି ମହିଳାଙ୍କୁ ସମ୍ମାନ ଦେଉଛ ତେବେ ପ୍ରଥମେ ଏଠାରେ ଠିଆ ହୋଇ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଅପମାନଜନକ ଟିପ୍ପଣୀ ଦେଇଥିବା ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣ। ଉଲ୍ଲେଖଯୋଗ୍ୟ , କଂଗ୍ରେସ ବିଧାୟକ କେଆର ରମେଶ କୁମାର ଗତକାଲି କର୍ଣ୍ଣାଟକ ବିଧାନସଭାରେ କୃଷକଙ୍କ ପ୍ରସଙ୍ଗରେ ଏକ ଆଲୋଚନା ସମୟରେ ଏହି ଟିପ୍ପଣୀ ଦେଇଥିଲେ। ଗତକାଲି କର୍ଣ୍ଣାଟକ ବିଧାନସଭାରେ ସଦସ୍ୟମାନେ ନିଜ ନିଜର ଦାବି ଉପସ୍ଥାପନ କରିବାପାଇଁ ଚେଷ୍ଟା କରିଥିବାବେଳେ କର୍ଣ୍ଣାଟକ ବାଚସ୍ପତି ବିଶ୍ବେଶ୍ବର ହେଗଡ଼େ କାଗେରି କହିଥିଲେ, ଯଦି ପ୍ରତି ବିଧାୟକଙ୍କୁ କଥା ହେବାକୁ ସମୟ ଦିଆଯିବ ତେବେ ଗୃହ କେମିତି ଚାଲିବ। ଏହି ପ୍ରସଙ୍ଗରେ ବାଚସ୍ପତି କହିଥିଲେ- ତୁମେ ଯାହା ନିଷ୍ପତ୍ତି ନେବ ମୁଁ ହଁ ମାରିବି। ମୁଁ ଭାବୁଛି ଯେ ପରିସ୍ଥିତିକୁ ଉପଭୋଗ କର।
ଗୃହ କାର୍ଯ୍ୟ ପରିଚାଳନା କରିବା ମୋର ମୁଖ୍ୟ ଚିନ୍ତା। ଏହି ସମୟରେ କଂଗ୍ରେସ ବିଧାୟକ କହିଥିଲେ, ‘କୁହାଯାଇଥାଏ ଯେ ଯଦି ଦୁଷ୍କର୍ମ ଅବଶ୍ୟମ୍ଭାବୀ, ତେବେ ଶୋଇଯାଅ ଏବଂ ଉପଭୋଗ କର।’ ଏବେ ଆପଣ ଏଭଳି ସ୍ଥିତିରେ ଅଛନ୍ତି’ ବୋଲି କଂଗ୍ରେସ ବିଧାୟକ ବାଚସ୍ପତିଙ୍କୁ କହିଥିଲେ।