‌ରୋଗୀ ବି କରୋନା ଯୋଦ୍ଧାଙ୍କ ପରିବାର, ହସ୍‌ପିଟାଲ ହିଁ ଡାକ୍ତରମାନଙ୍କ ଆଉ ଏକ ପରିବାର

ଭୁବନେଶ୍ବର: ଯୁଦ୍ଧ କ୍ଷେତ୍ରକୁ ଜଗି ରହିଛନ୍ତି ଯୋଦ୍ଧା। ନିଜେ ଆଗରେ ରହି ଆମକୁ ଓ ଆମ ପରିବାରର ରକ୍ଷାକବଚ ସାଜିଛନ୍ତି। ନିଜ ପରିବାର କଥା ଭୁଲି କର୍ତ୍ତବ୍ୟ ପଥରେ ଆଗେଇ ଯାଇଛନ୍ତି ଏ ଯୋଦ୍ଧା। ଅବିରତ ଭାବେ କରୋନା ମହାମାରୀ ସହ ଲଢ଼ି ରୋଗୀଙ୍କୁ ସୁସ୍ଥ କରୁଛନ୍ତି ଓ ସମାଜକୁ ଆଶ୍ବାସନା ଦେଇ ଚାଲିଛନ୍ତି। ନିଜ ଦାୟିତ୍ବ ଆଗରେ ତୁଚ୍ଛ କରିଛନ୍ତି ପରିବାର ମୋହ। କିଏ ମାସେ ହେଲା ନିଜ ଘରକୁ ଯାଇନି ତ’ କିଏ ନିଜ କୁନି କୁନି ପିଲା ଓ ବୃଦ୍ଧା ପିତାମାତାଙ୍କୁ ଏକୁଟିଆ ଛାଡ଼ି କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଏପରିକି କରୋନା ଯୁଦ୍ଧ ଲଢ଼ୁଥିବା ବେଳେ ନିଜ ପରିବାର ସଦସ୍ୟଙ୍କ ଦେଖା କରିବା କି ଛୁଇଁବାର ଅନୁମତି ବି ସେମାନଙ୍କୁ ନାହିଁ। କିଏ ନିଜ କୁନି ଝିଅକୁ କୋଳେଇ ନେଇ ପାରୁନି ତ’ ଆଉ କିଏ ବୃଦ୍ଧା ପିତାମାତାଙ୍କ ଯତ୍ନ ନେଇ ପାରୁନି। ତଥାପି ଖୁସିରେ ସେ କହୁଛନ୍ତି ରୋଗୀ ବି ଆମ ପରିବାର, ତାଙ୍କ ସେବା କରିବା ଆମ କର୍ତ୍ତବ୍ୟ।

ରୋଗୀ ସୁସ୍ଥ ହେଲେ ତା’ ଖୁସି ସବୁ ଦୁଃଖ ଭୁଲେଇ ଦିଏ
ମୋ ଝିଅ ଖନେଇ ଖନେଇ ଫୋନ୍‌ରେ ଯେବେ ପାପା ବୋଲି କହିଦିଏ, ହୃଦୟଟା ଭରିଯାଏ। ତା’କୁ ଟିକେ କୋଳରେ ଟେକି ନେଇ ଗେହ୍ଲା କରିବାକୁ ଇଚ୍ଛା ହୁଏ। କିନ୍ତୁ ପାରେନି, କାନ୍ଦ ଲାଗେ। ଡାକ୍ତରର ଧର୍ମ ମତେ ରୋଗୀ ସେବା କରିବାକୁ ବାଧ୍ୟ କରେ। ମୋ ବିବାହକୁ ମାତ୍ର ୩ ବର୍ଷ ହୋଇଛି। ୧୫ ମାସର ମୋର ଗୋଟିଏ ଝିଅ। ମୁଁ ଆଉ ମୋ ସ୍ତ୍ରୀ ଉଭୟ ଆମେ ଡାକ୍ତର। ମୁଁ ଏଠି ସମ୍‌ କୋଭିଡ୍‌ ହସ୍‌ପିଟାଲରେ କା‌ର୍ଯ୍ୟରତ, ଆଉ ପତ୍ନୀ ଏସ୍‌ସିବିରେ। ୧୪ଦିନ ହେବ ମୁଁ ଘରକୁ ଯାଇନି କି ମୋ ପରିବାରକୁ ଦେଖିନି। ପ୍ରଥମେ ପ୍ରଥମେ ପରିବାର ଓ ଝିଅ କଥା ବହୁତ ମନେ ପଡ଼ୁଥିଲା। କିନ୍ତୁ ବିଶ୍ବର ଏତେ ବଡ଼ ସଙ୍କଟରେ ଯେଉଁଠି ଡାକ୍ତରମାନଙ୍କ ଉପରେ ସମସ୍ତ ଆଶା କେନ୍ଦ୍ରୀଭୂତ, ସେଠି ନିଜ ପରିବାର ମୋହ ଛାଡ଼ିବାକୁ ପଡ଼ିବ ବୋଲି ମନେ ମନେ ନିଷ୍ପତ୍ତି ନେଲି। ପୁଣି ଧୀରେ ଧୀରେ ରୋଗୀମାନଙ୍କ ସହ ମିଶିବା ପରେ ଲାଗିଲା ଏ ବି ତ’ ଗୋଟେ ପରିବାର। ରୋଗୀମାନେ ଭଲ ହୋଇ ଘରକୁ ଫେରୁଥିବା ସମୟରେ ଖୁସି ଦେଖିଲେ ତ’ ସଂସାରର ଯେକୌଣସି ଖୁସି ତା’ ପାଖେ ଫିକା ଲାଗିବ।
-ଔଜ୍ବଲ୍ୟ କୁମାର ଜେନା, ଏମ୍‌ଡି ମେଡିସିନ୍‌ ତଥା ଆସିଷ୍ଟାଷ୍ଟ ପ୍ରଫେସର, ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌

ହସ୍‌ପିଟାଲ ହିଁ ଡାକ୍ତରମାନଙ୍କ ଆଉ ଏକ ପରିବାର
ଡାକ୍ତରମାନଙ୍କୁ ଲୋକମାନେ କୁହନ୍ତି ଦ୍ବିତୀୟ ଭଗବାନ। ଏ କଥାକୁ ଆମେ ଡାକ୍ତରମାନେ ବିଶ୍ବାସ କରୁନା। କିନ୍ତୁ ରୋଗୀକୁ ବଞ୍ଚାଇବା ପାଇଁ ଆମେ ଆମର ଜ୍ଞାନର ଶେଷ ପରିସୀମା ଯାଏଁ ଯାଉ। ଆଜି କରୋନାରେ ତ’ ଆମ ଦାୟିତ୍ବ ବଢ଼ି ଯାଇଛି। ପରିବାରକୁ ପଛରେ ରଖି ଆମେ ସମାଜର ରକ୍ଷାକବଚ ହେବାକୁ ଚେଷ୍ଟା ଚଳାଇଛୁ। ଏଭଳି ପରିସ୍ଥିତିରେ କ’ଣ ପରିବାରର ମୋହ ରଖିଲେ ହେବ? ଡାକ୍ତରମାନଙ୍କ ପରିବାର କ’ଣ ଏ ହସ୍‌ପିଟାଲ୍‌ ନୁହେଁ କି? ଏଠାର ସମସ୍ତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଓ ରୋଗୀ କ’ଣ ଏ ପରିବାରର ସଦସ୍ୟ ନୁହନ୍ତି କି? ଆଜି ଯଦି ସେଇ ପରିବାରର କିଏ କରୋନା କବଳିତ ତାକୁ ସେଥିରୁ ରକ୍ଷା କରିବା ତ’ ଆମ କର୍ତ୍ତବ୍ୟ। ଆମେ ସେଇ କର୍ତ୍ତବ୍ୟ ହିଁ ନିର୍ବାହ କରୁଛୁ।
-ଡାକ୍ତର କେ ପି ତ୍ରିପାଠୀ, ପ୍ରଫେସର ମେଡିସିନ୍‌, କିମ୍‌ସ୍‌ କୋଭିଡ୍‌ ହସ୍ପିଟାଲ

ସୁରକ୍ଷିତ ରହିବାର ପ୍ରତିଶ୍ରୁତି ଦେଇ ଘରୁ ଗୋଡ଼ କାଢ଼ିଛି
ଏପ୍ରିଲ ୫ ତାରିଖରେ କିମ୍‌ସ୍‌କୁ ପ୍ରଥମ କୋଭିଡ୍‌ ରୋଗୀ ଆସିଥିଲେ। ଏହା ପରଦିନଠାରୁ ମୋତେ କାର୍ଯ୍ୟରେ ଯୋଗ ଦେବାକୁ ହସ୍‌ପିଟାଲ୍‌ରୁ ଫୋନ୍‌ ଆସିଥିଲା। ପରିବାରଲୋକ ପ୍ରଥମେ ଏହା ଶୁଣି ଟିକେ ଡରି ଯାଇଥିଲେ। କିନ୍ତୁ ପରେ ଉତ୍ସାହର ସହ କାର୍ଯ୍ୟରେ ‌ଯୋଗଦେବାକୁ କହିଥିଲେ। ନିଜକୁ ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେଇ ମୁଁ ଘରୁ ବାହାରିଥିଲି। ପ୍ରଥମ ୧୪ଦିନ ଡ୍ୟୁଟି ପରେ ୧୪ଦିନ କ୍ବ‌ାରାଣ୍ଟିନ୍‌। ଏବେ ପୁଣି ଦ୍ବିତୀୟ ପ୍ରର୍ଯ୍ୟ‌ାୟ ଡ୍ୟୁଟିରେ ଯୋଗଦେଇଛି। ୪୦ଦିନ ହେଲା ଘରକୁ ଫେରିନି। ଆଜି ଏକ ସ୍ବାସ୍ଥ୍ୟକର୍ମୀ ଭାବେ ମୁଁ ଗର୍ବିତ।
-ପ୍ରିୟଦର୍ଶିନୀ ସନସପ୍ତିକା‌,
ଷ୍ଟାଫ୍‌ ନର୍ସ, କିମ୍‌ସ କୋଭିଡ୍‌ ହସ୍ପିଟାଲ

ରୋଗୀ ସେବା ଆତ୍ମତୃପ୍ତି ଦିଏ
ମାର୍ଚ୍ଚ ପ୍ରଥମ ସପ୍ତାହରୁ କୋଭିଡ୍‌-୧୯ର ପ୍ରସ୍ତୁତି ପାଇଁ ବ୍ୟସ୍ତ ରହୁଥିଲି। ସେତେବେଳେ ପରିବାରକୁ ସମୟ ଦେଇପାରୁ ନଥିଲି। ପରେ ମାର୍ଚ୍ଚ ୩୦ ବେଳକୁ ହସ୍‌ପିଟାଲ୍‌କୁ କରୋନା ରୋଗୀ ଆସିବାକୁ ଲାଗିଲେ। ସେତେବେଳେ ସକାଳ ୮ରୁ ରାତି ୧୦ଟା ଯାଏଁ ହସ୍‌ପିଟାଲ୍‌ରେ ରହିବାକୁ ପଡ଼ୁଥିଲା। ସେତେବେଳେ ମୁଁ ଘରକୁ ଫେରିଲା ବେଳକୁ ପିଲାମାନେ ଶୋଇ ପଡ଼ିଥା’ନ୍ତି। ସେମାନେ ଉଠିବା ପୂର୍ବରୁ ମତେ ହସ୍‌ପିଟାଲ୍‌ ପାଇଁ ବାହାରିଯିବାକୁ ପଡ଼େ। ସେହି ସମୟରେ ବି ମୁଁ ମୋ ପିଲାମାନଙ୍କୁ ସମୟ ଦେଇପାରୁ ନଥିଲି। କିନ୍ତୁ ଏପ୍ରିଲ ୩୦ ପରଠାରୁ ମୁଁ ହସ୍‌ପିଟାଲ୍‌ରେ ହିଁ ରହୁଛି। ଏହା ପରେ କ୍ବାରାଣ୍ଟିନ୍‌ରେ ରହିବାକୁ ପଡ଼ିବ। ଘର କଥା ମନେ ପଡ଼ିଲେ ଭିଡିଓ କଲ୍‌ କରି କଥା ହୁଏ। ମୋ ଦୁଇ ଝିଅଙ୍କୁ ଦେଖିଲେ ମନ ଶାନ୍ତି ହୋଇଯାଏ। ପରିବାର ଅନୁପସ୍ଥିତିର ଅନୁଭୂତ ହୁଏ, କିନ୍ତୁ ରୋଗୀ ସେବା ଆତ୍ମତୃପ୍ତି ଦିଏ।
-କମଳିନୀ ମଲ୍ଲିକ, ଡିଏନ୍‌ଏସ୍‌, ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌

ସମ୍ବନ୍ଧିତ ଖବର