ମୃତ ନା ଜୀବିତ? ରୋଗୀର ଶେଷକୃତ୍ୟ ସରିଛି, ହସ୍ପିଟାଲ୍‌ କହୁଛି ସ୍ବାସ୍ଥ୍ୟ ସୁଧୁରୁଛି

ଅହମଦାବାଦ୍‌: ଗୁଜରାଟର ଅହମଦାବାଦ୍‌ରେ ସଂକ୍ରମଣ ବଢ଼ୁଛି। କିନ୍ତୁ ଅହମଦାବାଦ୍‌ ସିଭିଲ୍‌ ହସ୍ପିଟାଲ୍‌ କରୋନାଭାଇରସ୍‌କୁ ‌‌ଯେଭଳି ମୁକାବିଲା କରୁଛି ସେଥିପାଇଁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏବେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଅହମଦାବାଦ୍‌ ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିବା ଜଣେ ରୋଗୀ ଦେବରାମଭାଇ ଭିସିକର ପ୍ରକୃତରେ ମରିଛନ୍ତି ନା’ ବଞ୍ଚିଛନ୍ତି ସେନେଇ ତାଙ୍କ ପରିବାର ସଦସ୍ୟ ଏବେ ବି ଦ୍ବନ୍ଦ୍ବରେ ଅଛନ୍ତି। ପରିବାର ସଦସ୍ୟ ହସ୍ପିଟାଲ୍‌ ପକ୍ଷରୁ ଦେବରାମଙ୍କ ମର ଶରୀର ପାଇଥିଲେ। ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନେ ବଡି ବ୍ୟାଗ୍‌ ନଖୋଲି ଶବ ସଂସ୍କାର କରିଥିଲେ। କିନ୍ତୁ ପରେ ହସ୍ପିଟାଲ୍‌ ପକ୍ଷରୁ ସେମାନଙ୍କ ପାଖକୁ ପୁଣି ଖବର ଆସିଥିଲା ଯେ, ଦେବରାମଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।

ପରିବାର ଲୋକ ସଠିକ୍‌ ଖବର ପାଇବା ପାଇଁ ହସ୍ପିଟାଲ୍‌କୁ ଫୋନ୍‌ କରିଥିଲେ। କିନ୍ତୁ ଏହି ସମୟରେ ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଥିଲା ଯେ, ଜଣେ କର୍ମଚାରୀ ଭୁଲ୍‌ରେ ଏହି ସୂଚନା ଦେଇଛନ୍ତି ଏବଂ ଦେବରାମଙ୍କ ଶବ ହିଁ ହସ୍ତାନ୍ତର କରାଯାଇଛି। ତେବେ ଏହାର କିଛି ଘଣ୍ଟା ପରେ ହସ୍ପିଟାଲ୍‌ ପକ୍ଷରୁ ପୁଣିଥରେ ଖବର ଆସିଥିଲା ଯେ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏଭଳି ସ୍ଥିତିରେ ଦେବରାମ ପ୍ରକୃତରେ ମରିଛନ୍ତି କି ବଞ୍ଚିଛନ୍ତି ସେନେଇ ତାଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ଦ୍ବନ୍ଦ୍ବରେ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ ମେ’ ୨୮ ତାରିଖରେ ଦେବରାମ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମେ’ ୨୯ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ସଦସ୍ୟ ହସ୍ପିଟାଲ୍‌ ପକ୍ଷରୁ ସୂଚନା ପାଇଥିଲେ। ହସ୍ପିଟାଲ୍‌ ପକ୍ଷରୁ ମର ଶରୀର ଗ୍ରହଣ କରିବାପରେ ତାଙ୍କ ଶେଷ ସଂସ୍କାର କରାଯାଇଥିଲା। କିନ୍ତୁ ମେ’ ୩୦ ତାରିଖ‌ରେ ଦେବରାମଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ପରିବାର ସଦସ୍ୟଙ୍କୁ ସୂଚନା ମିଳିଥିଲା। ଏ ନେଇ ଏବେ ବି ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧିତ ଖବର