ପାକିସ୍ତାନର ବିଜୟରେ ଖୁସି ମନାଇଥିବା କଶ୍ମୀରୀ ଯୁବକଙ୍କୁ ଆଇନଗତ ସହାୟତା ଦେବ ପିଡିପି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ପାକିସ୍ତାନଠାରୁ ପ୍ରଥମ ମ୍ୟାଚରେ ହାରିଥିଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀକୁ ୧୦ ୱିକେଟରେ ମାତ୍ ଦେଇଥିଲା ବାବର୍ ବାହିନୀ। ତେବେ ବିଶ୍ୱକପରେ ପାକିସ୍ତାନଠାରୁ ଭାରତର ଏହାଥିଲା ପ୍ରଥମ ପରାଜୟ , ଆଉ ଏହାକୁ ନେଇ ଅନେକ ବିବାଦ ମଧ୍ୟ ଛିଡା ହୋଇଥିଲା । ଜମ୍ମୁ ଓ କଶ୍ମୀରରେ ରହୁଥିବା କିଛି ଯୁବକ ପାକିସ୍ତାନର ଏହି ବିଜୟରେ ଉତ୍ସବ ମନାଇଥିଲେ । ଯେଉଁ କାରଣରୁ ସେମାନଙ୍କ ବିରୋଧରେ ୟୁଏପିଏ ନିୟମ ଅନୁସାରେ ମାମଲା ରୁଜୁ କରିଥିଲେ କିଛି ସାମାଜିକ କର୍ମୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୁବକମାନଙ୍କ ପାଇଁ ଏବେ କୌଣସି ଓକିଲ ମାମଲା ଲଢିବାକୁ ରାଜି ନାହାନ୍ତି । ଆଉ ଏହାରି ଭିତରେ ଜମ୍ମୁ ଓ କଶ୍ମୀରର ରାଜନୈତିକ ଦଳ ପିଡିପି ଏମାଙ୍କୁ ଆଇନଗତ ସହାୟତା ଦେବାକୁ ଏବେ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିଜୟରେ ଖୁସି ମନାଇଥିଲେ ୩ କଶ୍ମିରୀ ଯୁବକ । ଖାଲି ସେତିକି ନୁହେଁ, ଏହି ସମୟର ଭିଡିଓ ସେମାନେ ନିଜର ହ୍ୱାଟ୍ସଆପ୍ ଷ୍ଟାଟସ୍ ମଧ୍ୟ ଦେଇଥିଲେ, ଯାହାକୁ କିଛି ସାଙ୍ଗ ବିରୋଧ କରିଥିଲେ । ହେଲେ ଏହାକୁ ନେଇ ସେମାନଙ୍କ ଭିତରେ ଏକ ପ୍ରକାରର ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ପରେ ପରେ ଘଟଣାକୁ ନେଇ ମାମଲା ରୁଜୁ ହେବା ସହିତ ଏହି ଯୁବକଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଯୁବକମାନଙ୍କ ପାଇଁ କେହି ବି ମାମଲା ଲଢିବାକୁ ରାଜି ନହେବାରୁ ଏବେ ପିଡିପି ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛି ।

ଗତ ଅକ୍ଟୋବର ୨୮ ତାରିଖରେ ଆଗ୍ରା କୋର୍ଟରେ ଏହି କାଶ୍ମିରୀ ଛାତ୍ରଙ୍କୁ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଥିଲା । ତେବେ କୋର୍ଟରୁ ଯେତେବେଳେ ସେହି ଯୁବକଙ୍କୁ ବାହାରକୁ ଅଣାଯାଇଥିଲା, ସେତେବେଳେ ସେଠାରେ ଅଟକି ରହିଥିବା ଭିଡ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । କିଛି ଲୋକ ଏହି ଘଟଣାକୁ ଦେଶଦ୍ରୋହ ବୋଲି କହୁଥିବାବେଳେ ଏହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି ।

ସମ୍ବନ୍ଧିତ ଖବର