କୃଷି ଆଇନକୁ ସମର୍ଥନ କରିବାରୁ ମଧ୍ୟପ୍ରଦେଶ ଚାଷୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର କୃଷିମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି। ସରକାର ଏବଂ କୃଷକ ସଂଗଠନ ନିଜ ଜିଦରେ ଅଟଳ ରହିଥିବାରୁ ସମାଧାନର ପନ୍ଥା ବାହାରିପାରୁନି। କୃଷି ଆଇନରେ କେତେକ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ କୃଷକ ସଂଗଠନ ତାହାକୁ ପ୍ରତ୍ୟାଖ୍ୟାନ କରିବା ସହ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି। ଆଜି ଦିଲ୍ଲୀର ଟିକ୍ରି, ଧନ୍ସା ସୀମା ବନ୍ଦ ରହିଛି। ଦିଲ୍ଲୀକୁ ସଂଯୋଗ କରୁଥିବା ବିଭିନ୍ନ ଜାତୀୟ ରାଜପଥ ବନ୍ଦ ରହିଥିବାରୁ ସମଗ୍ର ଉତ୍ତର ଭାରତକୁ ଖାଦ୍ୟ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି। କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରରେ ବ୍ୟାବସାୟିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି।
ଅପରପକ୍ଷେ, ସରକାର ଅନ୍ୟାନ୍ୟ କୃଷକ ସଂଗଠନଙ୍କ ସହ ସମାନ୍ତରାଳ କଥାବାର୍ତ୍ତା ତୁରନ୍ତ ବନ୍ଦ କରନ୍ତୁ ବୋଲି ଆନ୍ଦୋଳନରତ କୃଷକ ନେତା ଦାବି କରିଛନ୍ତି। ସରକାର ଭିନ୍ନ ଭିନ୍ନ ସଂଗଠନର କୃଷକ ନେତାଙ୍କ ସହ ସମାନ୍ତରାଳ ଆଲୋଚନା କରି କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ‘ସଂଯୁକ୍ତ କିଷାନ୍ ମୋର୍ଚ୍ଚା’ ଅଭିଯୋଗ କରିଛି। ସରକାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚାଲିଥିବା କୃଷକ ଆନ୍ଦୋଳନକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବରିଷ୍ଠ ସଦସ୍ୟ ଦର୍ଶନ ପାଲ୍ କହିଛନ୍ତି। ଏଣୁ ସରକାର ତୁରନ୍ତ କୃଷକ ନେତାଙ୍କ ସହ ଏଭଳି ଆଲୋଚନା ବନ୍ଦ କରନ୍ତୁ ବୋଲି ପାଲ୍ କେନ୍ଦ୍ର ଯୁଗ୍ମ କୃଷି ସଚିବ ବିବେକ ଅଗ୍ରୱାଲ୍ଙ୍କୁ ଚିଠି ଲେଖିଛନ୍ତି।
ମଧ୍ୟପ୍ରଦେଶର ଚାଷୀ କୃଷି ଆଇନକୁ ସମର୍ଥନ ଜଣାଇଥିବାରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଧନ୍ୟବାଦ ଜଣାଇଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନର ଚାଷୀମାନେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ମଧ୍ୟପ୍ରଦେଶର ରେୱା, ଗ୍ବାଲିୟର, ଉଜ୍ଜୟିନୀ, ସାଗର ଏବଂ ଅନ୍ୟାନ୍ୟ ସ୍ଥାନରେ କୃଷକମାନେ କୃଷି ଆଇନକୁ ସମର୍ଥନ କରି ଶୋଭାଯାତ୍ରା କରିଛନ୍ତି। କୃଷି ବିଲ୍ ଏବଂ ମୋଦୀ ସରକାରଙ୍କୁ ସମର୍ଥନ ଜଣାଇଥିବାରୁ କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟପ୍ରଦେଶର ଚାଷୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୃଷି ଆଇନକୁ ବିରୋଧ ଏକ ବ୍ୟତିକ୍ରମ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। କେବଳ ଗୋଟିଏ ରାଜ୍ୟର କୃଷକମାନେ କୃଷି ଆଇନକୁ ବିରୋଧ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଆନ୍ଦୋଳନର ସମାଧାନର ପନ୍ଥା ବାହାରିବ ବୋଲି ତୋମାର ସୂଚନା ଦେଇଛନ୍ତି। ମୋଦୀ ସରକାର ସ୍ବାମୀନାଥନ୍ କମିସନ ସୁପାରିସକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ଏମ୍ଏସ୍ପିକୁ କାଏମ ରଖିଛନ୍ତି ବୋଲି ମଧ୍ୟପ୍ରଦେଶର ଏକ କୃଷକ ରାଲିରେ ଯୋଗଦେଇ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/8sfh98s7fh987f98hfs797h98fshfhfhs.jpg)