ଷଷ୍ଠ ଦିନରେ କୃଷକ ଆନ୍ଦୋଳନ: କଥାବାର୍ତ୍ତା ବିଫଳ, ଗୁରୁବାର ପରବର୍ତ୍ତୀ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ପୂର୍ବରୁ ଡିସେମ୍ବର ୩ରେ କୃଷକ ପ୍ରତିନିଧିଙ୍କ ସହିତ ଆଲୋଚନା ହେବ ବୋଲି ଧାର୍ଯ୍ୟ ହୋଇଥିଲେ ମଧ୍ୟ ପରିସ୍ଥିତିର ଗମ୍ଭୀରତାକୁ ଦେଖି ବିଜ୍ଞାନ ଭବନରେ ୩ ଜଣ କେନ୍ଦ୍ର ମନ୍ତ୍ରୀ ୩୫ ଜଣ କୃଷକ ପ୍ରତିନିଧିଙ୍କ ସହିତ ଆଜି ଅପରାହ୍ଣରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା କରିଛନ୍ତି। ସରକାର ଏହି ବୈଠକରେ କୃଷକ ପ୍ରତିନିଧିମାନଙ୍କୁ ଏମ୍‌ଏସ୍‌ପି ଓ ଏପିଏମ୍‌ସି ସଂପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ଏଥିସହିତ ନୂଆ କୃଷି ଆଇନରେ ଥିବା ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏକ କମିଟି ଗଠନ କରିବାକୁ କୃଷିମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। କମିଟି ସରକାର, ବିଶେଷଜ୍ଞ ଏବଂ କୃଷକ ପ୍ରତିନିଧିମାନଙ୍କୁ ନେଇ ଗଠିତ ହେବ।

ତେଣୁ କମିଟି ପାଇଁ ୪ରୁ ୫ ଜଣ କୃଷକ ପ୍ରତିନିଧିଙ୍କ ନାମ ଦେବା ପାଇଁ କୃଷିମନ୍ତ୍ରୀ କହିଥିଲେ। ତେବେ ବର୍ତ୍ତମାନ କମିଟି ଗଠନ କରିବାର ସମୟ ନୁହେଁ ବୋଲି କୃଷକ ପ୍ରତିନିଧିମାନେ କହିବା ସହିତ ସରକାରଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇ‌ଛନ୍ତି। ଆସନ୍ତା ଗୁରୁବାର ପରବର୍ତ୍ତୀ ବୈଠକ ହେବ। ସରକାରଙ୍କ ପକ୍ଷରୁ କୃଷି ମନ୍ତ୍ରୀଙ୍କ ସହ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଆଲୋଚାନରେ ଭାଗ ନେଇଥିଲେ। ବିଜ୍ଞାନ ଭବନ ପରେ ସଂଧ୍ୟାରେ କୃଷି ଭବନରେ କୃଷିମନ୍ତ୍ରୀ ଶ୍ରୀ ତୋମାର ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ଗୋୟଲ ଉତ୍ତର ପ୍ରଦେଶ, ହରିୟାଣ, ଉତ୍ତରାଖଣ୍ଡ ଆଦି ରାଜ୍ୟର କୃଷକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। କୃଷକ ପ୍ରତିନିଧିମାନଙ୍କୁ ସେମାନଙ୍କ ଦାବି ସମ୍ବଳିତ ପ୍ରସ୍ତାବ ବୁଧବାର ସୁଦ୍ଧା ଦାଖଲ କରିବା ପାଇଁ ମନ୍ତ୍ରୀମାନେ କହିଛନ୍ତି। ଏହା ଉପରେ ଗୁରୁବାର ହେବାକୁ ଥିବା ବୈଠକରେ ଆଲୋଚନା ହେବ। ତେବେ କୃଷକ ଆନ୍ଦୋଳନ ଉପରେ କେନ୍ଦ୍ରମନ୍ତ୍ରୀ ଭି କେ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଫଟୋରେ ଅନେକ ଆନ୍ଦୋଳନକାରୀ କୃଷକ ଭଳି ଜଣାପଡ଼ୁନାହାନ୍ତି। ବିରୋଧୀଙ୍କ ସହ କମିସନ ପାଇଥିବା ବ୍ୟକ୍ତିମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆପ୍ ପକ୍ଷରୁ ଏହାର ଜବାବରେ କୁହାଯାଇଛି, କୃଷକମାନେ କ’ଣ ବଳଦ ଓ ଲଙ୍ଗଳ ଧରି ଆନ୍ଦୋଳନ ସ୍ଥଳକୁ ଆସିଥ‌ାନ୍ତେ?

ଭଲ‌ ବୈଠକ ହୋଇଛି: ତୋମାର
କୃଷକ ପ୍ରତିନିଧିମାନଙ୍କ ସହିତ ଆଜିର ବୈଠକଟି ଭଲ ହୋଇଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ‌ସିଂହ କୃଷକ ପ୍ରତିନିଧିମାନଙ୍କ ସହ ହୋଇଥିବା ପ୍ରାୟ ୨ ଘଣ୍ଟାର ବୈଠକ ପରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସରକାର ଗୋଟିଏ କମିଟି ଗଠନ କରିବାକୁ ଆଗ୍ରହୀ ଥିଲେ। କିନ୍ତୁ କୃଷକ ପ୍ରତିନିଧି ମାନେ କହିଥିଲେ ଏହି ଆଲୋଚନା ସମସ୍ତଙ୍କ ସାଙ୍ଗେ ହେବା ଆବଶ୍ୟକ। ଏହି ଅବସରରେ ‌‌କୃଷିମନ୍ତ୍ରୀ ତୋମାର କୃଷକମାନଙ୍କୁ ଆନ୍ଦୋଳନରୁ ଓହରି ଯାଇ ଆଲୋଚନାକୁ ଆସିବା ପାଇଁ କହିଛନ୍ତି। କିନ୍ତୁ ଆନ୍ଦୋଳନରୁ ଓହରିବା କୃଷକ ନେତା ଓ କୃଷକମାନଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ତେବେ କୃଷକମାନଙ୍କ ସହିତ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଆସନ୍ତା ୩ ତାରିଖରେ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କୃଷକମାନେ ସେମାନଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ସେମାନେ କହିଛନ୍ତି ଆମର ଆନ୍ଦୋଳନ ଜାରି ରହିବ। ଆମେ ନିଶ୍ଚିତଭାବେ ସରକାରଙ୍କ ଠାରୁ କିଛି ନେଇକରି ଫେରିବୁ। ତାହା ଗୁଳି ହେଉ କିମ୍ବା ଶାନ୍ତିପୂର୍ଣ୍ଣ ସମାଧାନ। ଆମେ ସରକାରଙ୍କ ସହିତ ପୁଣି ଅଧିକ ଆଲୋଚନା କରିବୁ ବୋଲି ମନ୍ତ୍ରୀଙ୍କୁ ଭେଟିବା ପରେ କୃଷକ ପ୍ରତିନିଧି ମଣ୍ଡଳୀର ସଦସ୍ୟ ଚନ୍ଦା ସିଂହ କହିଛନ୍ତି।

ନଡ୍ଡାଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ
ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏହି ବୈଠକ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଘରେ ହୋଇଥିଲା। ଗତ ୪୮ ଘଣ୍ଟା ମଧ୍ୟରେ ଏହା ଥିଲା ତୃତୀୟ ଉଚ୍ଚସ୍ତରୀୟ ବୈଠକ।

ପଦକ ଫେରାଇ ଆନ୍ଦୋଳନରେ ଯୋଗଦେବେ କ୍ରୀଡ଼ାବିତ୍‌
କୃଷକ ଆନ୍ଦୋଳନକୁ ବିଭିନ୍ନ ଆଡ଼ୁ ସମର୍ଥନ ମିଳୁଛି। ପଞ୍ଜାବର କିଛି କ୍ରୀଡ଼ାବିତ୍‌ ଓ କୋଚ୍‌ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେମାନେ ପାଇଥିବା ପଦକ ଫେରାଇଦେବେ ବୋଲି କହିଛନ୍ତି। ଏଥସହିତ କୃଷକ ଆନ୍ଦୋଳନରେ ଯୋଗଦେବା ପାଇଁ ଆସନ୍ତା ୫ ତାରିଖରେ ଦିଲ୍ଲୀକୁ ଯାତ୍ରା କରିବେ। କୃଷକମାନେ ଦୀର୍ଘମାସ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଆସୁଛନ୍ତି। କିନ୍ତୁ ସେମାନଙ୍କ ଉପରକୁ ପାଣି ମାଡ଼ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଉଛି ବୋଲି ଅଲିମ୍ପିକ ହକି ଖେଳାଳି ତଥା ଅର୍ଜୁନ ପୁରସ୍କାର ବିଜେତା ସଜ୍ଜନ ସିଂହ ଚିମା କହିଛନ୍ତି।

ବିଲ୍‌କିସ ଦାଦିଙ୍କୁ ସୀମାରେ ଅଟକାଇଲା ପୁଲିସ
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରତି ବିଭିନ୍ନ ବର୍ଗରୁ ସମର୍ଥନ ମିଳିବାରେ ଲାଗିଛି। ସିଏଏ ବିରୋଧରେ ସାହିନବାଗରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିବା ବିଲ୍‌କିସ ଦାଦି ମଧ୍ୟ ଏହି ଆନ୍ଦୋଳନରେ ଭାଗ ନେବାକୁ ଆଗେଇ ଆସିଛନ୍ତି। ସେ କହିଛନ୍ତି, ଆମେ କୃଷକମାନଙ୍କ ଝିଅ। ତେଣୁ ଆମେ କୃଷକମାନଙ୍କୁ ସମର୍ଥନ ଯୋଗାଇବୁ। ତେବେ ସେ ସିଙ୍ଘୁ ସୀମାରେ ପହଞ୍ଚିବା ପରେ ପୁଲିସ ସେଠାରେ ତାଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର