ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ସୁଦ୍ଧା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ପଂଜାବ ଏବଂ ହରିୟାଣାରୁ ହଜାର ହଜାର ସଂଖ୍ୟାରେ ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି। ଆସନ୍ତାକାଲି ଚାଷୀ ଆନ୍ଦୋଳନକୁ ବର୍ଷେ ପୂରୁଥିବାରୁ ଆନ୍ଦୋଳନରତ ଚାଷୀମାନେ ମହାପଞ୍ଚାୟତ କରିବେ। ଆଜି ସିଂଘୁ ସୀମାରେ ଦିନ ତମାମ ଚାଷୀଙ୍କ ସମାଗମ ଲାଗି ରହିଥିଲା। ସିଂଘୁ ଏବଂ ଟିକରି ସୀମାରେ ଅଧିକରୁ ଅଧିକ ସଂଖ୍ୟାରେ ଚାଷୀ ରୁଣ୍ଡ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି। ମହାପଞ୍ଚାୟତରେ ଯୋଗ ଦେବାପାଇଁ ହଜାର ହଜାର ସଂଖ୍ୟାରେ ଚାଷୀ ଦିଲ୍ଲୀ ସୀମାରେ ସମବେତ ହେଉଛନ୍ତି। ଆସନ୍ତାକାଲିର ମହାପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍‌) ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଥିଲା। କୃଷକଙ୍କ ପାଇଁ ଏମ୍‌ଏସପି ଗ୍ୟାରେଣ୍ଟି ସହ ୬ଟି ଦାବି ରଖି ଏସକେଏମ୍‌ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏହି ଖୋଲା ଚିଠି ଲେଖିଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଏଥିରେ ଚେତାବନୀ ଦିଆଯାଇଥିଲା।

Advertisment

ତିନି କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୯ ତାରିଖରେ ଘୋଷଣା କରିବା ଏବଂ ଗତକାଲି କେନ୍ଦ୍ର କ୍ୟାବିନେଟ୍‌ରେ ଏହି ଆଇନ ଉଚ୍ଛେଦ ପାଇଁ ବିଲ୍‌କୁ ମଂଜୁରି ମିଳିବା ପରେ ମଧ୍ୟ ଚାଷୀ ନେତାମାନେ ସରକାରଙ୍କୁ ବିଶ୍ବାସକୁ ନେଇନାହାନ୍ତି। ସଂସଦରେ ଆଇନ ପ୍ରତ୍ୟାହାର ନେଇ ବିଲ୍‌ ଆସିବା ପୂର୍ବରୁ ସରକାର ଏ ବାବଦ ସମସ୍ତ ରଣନୀତି ଚୂଡ଼ାନ୍ତ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ସିଂଘୁସୀମାରେ ଆନ୍ଦୋଳନରତ କୃଷକମାନେ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କମିଟି ଗଠନ, ଚାଷୀଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ଏବଂ ବାକି ରହିଥିବା ବିଦ୍ୟୁତ୍ ବିଲ୍ ଛାଡ଼ ନେଇ ସେମାନଙ୍କର ଦାବି ଅବ୍ୟାହତ ରହିବ। ଏହା ସହିତ ଲଖିମପୁର ଖେରି ହିଂସା ମାମଲାରେ ସଂପୃକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗିରଫଦାରି ପାଇଁ ମଧ୍ୟ ଚାଷୀମାନେ ଜିଦ୍‌ ଧରିଛନ୍ତି।