ଚାଷୀ ଆନ୍ଦୋଳନ ଜାରି ରହିବ, ରାଜନୀତି‌ ତେଜିଲା

ଶାହଙ୍କୁ ଭେଟିଲେ ଅମରିନ୍ଦର, କଂଗ୍ରେସକୁ ଦାୟୀ କଲେ ଶିବରାଜ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଏବେ ରାଜନୀତି ସରଗରମ ହୋଇଉଠିଛି ଏବଂ ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ ବୋଲି ସଙ୍କେତ ମିଳୁଛି। କେନ୍ଦ୍ର ସରକାର ଏବଂ ୩୫ଟି କୃଷକ ସଂଗଠନ ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କୃଷକମାନଙ୍କ ଭବିଷ୍ୟତ ଏବଂ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକୁ ଗ୍ରହଣ କରିବାକୁ ଅମରିନ୍ଦର ଗୁରୁତ୍ବାରୋପ କରିଥିଲେ। ଚାଷୀ ଆନ୍ଦୋଳନ ଯୋଗୁଁ ପଞ୍ଜାବର ଘୋର ଆର୍ଥିକ କ୍ଷତି ହେଉଛି ଏବଂ ସମଗ୍ର ଦେଶରେ ମଧ୍ୟ କୃଷି କ୍ଷେତ୍ରରେ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ସେ ଚେତାଇ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଆଜି କହିଛନ୍ତି ଯେ କୃଷି ଆଇନ ସଂପୂ୍ର୍ଣ୍ଣ ପ୍ରତ୍ୟାହାର ନହେଲେ ଏହା ଦେଶ ଏବଂ କୃଷକଙ୍କ ପାଇଁ ବିଶ୍ବାସଘାତକତା ହେବ। ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସବୁ‌ବେଳେ ଚାଷୀ ବିରୋଧୀ। କଂଗ୍ରେସ ହାତରେ ଏବେ କିଛି ପ୍ରସଙ୍ଗ ନଥିବାରୁ ଏହି ଦଳ ହତାଶ ହୋଇ ଚାଷୀଙ୍କୁ ଉସୁକାଇ ଦେଶରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରୁଛି ବୋଲି ଶିବରାଜ କହିଛନ୍ତି।

ଚାଷୀଙ୍କୁ ଖଲିସ୍ତାନୀ କହିବା ଅପମାନଜନକ: ବାଦଲ

ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ମମତାଙ୍କ ଧମକ

କେନ୍ଦ୍ର ସରକାର ଚାଷୀଙ୍କୁ ଖଲିସ୍ତାନୀ କହିବା ଅପମାନଜନକ ବୋଲି ‘ଶିରୋମଣି ଅକାଳୀ ଦଳ’ର ସଭାପତି ସୁଖବୀର ସିଂହ ବାଦଲ କହିଛନ୍ତି ଏବଂ ଏହି ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି। ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ବୟସ୍କ ମହିଳା ଚାଷୀ କ’ଣ ରାଷ୍ଟ୍ରବିରୋଧୀ କି (?) ବୋଲି ସେ ପ୍ରଶ୍ନ କରିଛନ୍ତି।
ନୂଆ କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନ କଲେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧମକ ଦେଇଛନ୍ତି। ଚାଷୀଙ୍କ ସ୍ବାର୍ଥ ନେଇ କୌଣସି ସାଲିସ୍‌ କରାଯାଇ ପାରିବ ନାହିଁ ବୋଲି ମମତା କହିଛନ୍ତି। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ-ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ଜାତୀୟ ରାଜପଥକୁ ପୁଲିସ ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର