ନୂଆଦିଲ୍ଲୀ : ପେଗାସସ୍ ସ୍ପାଏୱେର ଗୁଇନ୍ଦାଗିରି ପ୍ରସଙ୍ଗ ଏବେ ଭାରତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଆମେରିକାର ବହୁଚର୍ଚ୍ଚିତ ୱାଟରଗେଟ୍ ଦୁର୍ନୀତି ସହିତ ଏହାକୁ ଅନେକ ତୁଳନା କରୁଥିବା ବେଳେ ଦିନକୁ ଦିନ ପେଗାସସ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଭାରତର ଏକ ୧ ହଜାରରୁ ଅଧିକ ଫୋନ୍ ନମ୍ବର ଇସ୍ରାଏଲ୍ର ଗୁଇନ୍ଦା ସଫ୍ଟୱେର ପେଗାସସ୍ ଟାର୍ଗେଟ୍ରେ ରହିଥିଲା ବୋଲି ଜଣାପଡ଼ିଛି। ଏହି ପ୍ରକ୍ରିୟାରୁ ଶାସକ ଓ ବିରୋଧୀ ଦଳର ନେତା, ପୂର୍ବ କେନ୍ଦ୍ରମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାମ୍ବାଦିକ, ବିଚାରପତି, ବେସରକାରୀ ସଂଗଠନ କେହି ବି ବର୍ତ୍ତି ନାହାନ୍ତି। ଏହି ଗୁଇନ୍ଦାଗିରିର ବ୍ୟାପକତା କେତେ ବିଶାଳ ତାହା ଏଥିରୁ ପ୍ରମାଣିତ ହୋଇଛି। ଭାରତ ସମେତ ୪୫ଟି ରାଷ୍ଟ୍ରରେ ପେଗାସସ୍ ସ୍ପାଏୱେର ମାଧ୍ୟମରେ ଫୋନ୍ ହ୍ୟାକିଂ ହୋଇଛି ଏବଂ ଇସ୍ରାଏଲ୍ର ଏନ୍ଏସ୍ଓ ଗ୍ରୁପ୍ ଏହି ସଫ୍ଟୱେର ତିଆରି କରିଛି। ତେବେ ଭାରତ ସରକାର ଏହି ଗୁଇନ୍ଦାଗିରି ମାମଲାରେ କୌଣସି ଭୂମିକାକୁ ଖଣ୍ଡନ କରିଛନ୍ତି।
ପେଗାସସ୍ କାଣ୍ଡକୁ ନେଇ ଏବେ ସଂସଦର ମୌସୁମୀ ଅଧିବେଶନରେ ତମ୍ବି ତୋଫାନ ଚାଲିଥିବା ବେଳେ ଆଜି ଇସ୍ରାଏଲ୍ କର୍ତ୍ତୃପକ୍ଷ ପେଗାସସ୍ର ନିର୍ମାତା ଏନ୍ଏସ୍ଓ ଗ୍ରୁପ୍ କାର୍ଯ୍ୟାଳୟରେ ଯାଞ୍ଚ ଆରମ୍ଭ କରିଛନ୍ତି। ନ୍ୟୁଜ୍ ୱେବ୍ସାଇଟ୍ ‘ଦ ୱାୟାର’ ସମେତ ୧୭ଟି ମିଡିଆ ସଂଗଠନର ଗ୍ଲୋବାଲ କନ୍ସୋର୍ଟିୟମ୍ ପେଗାସସ୍ ନେଇ ଖୋଳତାଡ଼ ଜାରି ରଖିଛନ୍ତି। ବିଶ୍ବବ୍ୟାପୀ ପ୍ରାୟ ୫୦ ହଜାର ଲୋକଙ୍କୁ ଟାର୍ଗେଟ୍ କରି ଗୁଇନ୍ଦାଗିରି କରାଯାଇଥିବା କୁହାଯାଇଛି। ଏଥିରେ ୧୪ ଜଣ ରାଷ୍ଟ୍ରମୁଖ୍ୟ ମଧ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଅଛନ୍ତି।
ରିପୋର୍ଟ ମୁତାବକ ୨୦୧୮-୨୦୧୯ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଫୋନ୍କୁ ୨ ଥର ଟାର୍ଗେଟ୍ କରାଯାଇଥିଲା। ରାହୁଲ ଏବେ ଏହି ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ଏକଜୁଟ୍ କରି ମୋଦୀ ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ତେବେ ବର୍ତ୍ତମାନର ପେଗାସସ୍ ମାମଲାରେ ସରକାର ଗୁଇନ୍ଦାଗିରିରେ ସଂପୃକ୍ତ ଥିଲେ ବୋଲି ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ବିଶେଷଜ୍ଞମାନେ କହିଛନ୍ତି। ପେଗାସସ୍ ମାଲ୍ୱେରର ଏଭଳି କ୍ଷମତା ରହିଛି ଯାହା ସମସ୍ତ ପ୍ରମାଣକୁ ନିଶ୍ଚିହ୍ନ କରିଦେଇଥାଏ। ତେବେ ଏଭଳି ଗୁଇନ୍ଦାଗିରି ଦ୍ବାରା ଦେଶବାସୀଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ହେଉଥିବା ଏବଂ ସରକାରୀ ତନ୍ତ୍ରର ଦୁରୁପଯୋଗ ହେଉଥିବାରୁ ବୁଦ୍ଧିଜୀବୀ ମହଲ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।