କିବ୍‌: ୟୁକ୍ରେନ୍‌ର କିବ୍‌ ଏବଂ ଚେର୍ନିହିବରୁ ରୁଷ୍‌ ସେନା ପ୍ରତ୍ୟାହାର କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିଶ୍ବବ୍ୟାପୀ ଏହାକୁ ନେଇ ଆଶ୍ବସ୍ତି ପ୍ରକାଶ ପାଇଥିଲା। ତେବେ ଅସଲରେ ରୁଷ୍‌ ନାମକୁ ମାତ୍ର କେତେକ ସ୍ଥାନରୁ ସେନା ପ୍ରତ୍ୟାହାର କରିଥିବା ବେଳେ ନୂଆ ରଣନୀତିରେ ଜୋର୍‌ଦାର ଆକ୍ରମଣ ଜାରି ରଖିଛି । ଆଜି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଏନେଇ ଜବାବ ରଖିଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ର ଲୋକମାନେ ବୋକା ନୁହନ୍ତି। ଆମକୁ ବୋକା ବନାଇବା ପାଇଁ ରୁଷ୍‌ ଯେଉଁ ଘୋଷଣା କରିଥିଲା ତାହା ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ସେ କହିଛନ୍ତି। ଗତ ୩୪ ଦିନର ଆକ୍ରମଣ ଏବଂ ଗତ ୮ ବର୍ଷ ଧରି ଡୋନବାସ୍‌ ଯୁଦ୍ଧରୁ ୟୁକ୍ରେନ୍‌ ଲୋକମାନେ ଠିକ୍‌ ଶିକ୍ଷା ଗ୍ରହଣ କରିଛନ୍ତି। ସେମାନେ କେବଳ ଉତ୍ତମ ଫଳାଫଳ ଉପରେ ହିଁ ବିଶ୍ବାସ କରିପାରିବେ ବୋଲି ଜେଲେନ୍‌ସ୍କି କହିଛନ୍ତି। ଗତକାଲି ଇସ୍ତାନବୁଲ୍‌ରେ ଶାନ୍ତି କଥାବାର୍ତ୍ତା ଶେଷ ହେବାପରେ ରୁଷ୍‌ ସୈନ୍ୟ ପ୍ରତ୍ୟାହାର ପ୍ରତିଶ୍ରୁତି ଦେଇଥିଲା। ତେବେ ରୁଷ୍‌ କିବ୍‌ରୁ ସୈନ୍ୟ ପ୍ରତ୍ୟାହାର ନକରି କେବଳ କିଛି ସୈନ୍ୟଙ୍କୁ ହଟାଇ ଅନ୍ୟତ୍ର ମୁତୟନ କରାଇଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ଆଜି କହିଛି, ରୁଷ୍‌ କେବଳ ସୈନ୍ୟ ସ୍ଥାନାନ୍ତର କରୁଛି ଏବଂ ବାସ୍ତବରେ ସେନା ପ୍ରତ୍ୟାହାର ନୁହେଁ । ଏହା ଏକ ଚାଲ୍‌ ଏବଂ ଏଥିପାଇଁ ୟୁକ୍ରେନ୍‌ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପେଣ୍ଟାଗନ୍‌ କହିଛି।