ନୂଆଦିଲ୍ଲୀ: ଜେନେଭାଠାରେ ଜାତିସଂଘ ବୈଠକରେ କୈଳାସର ପ୍ରତିନିଧିତ୍ବ କରିଥିବା ବିଜୟପ୍ରିୟା ନିତ୍ୟାନନ୍ଦ‌ଙ୍କ ଫଟୋ ଏବଂ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବିଜୟପ୍ରିୟା ଗେରୁଆ ରଙ୍ଗର ଶାଢ଼ି ପିନ୍ଧିବା ସହିତ ଗଳାରେ ରୁଦ୍ରାକ୍ଷ ମାଳା ଏବଂ ମଥାରେ ଟିକା ପିନ୍ଧିଛନ୍ତି। କୈଳାସ ହେଉଛି ତାମିଲନାଡ଼ୁର ଦୁଷ୍କର୍ମ ଅଭିଯୁକ୍ତ ତଥା ଆତ୍ମଘୋଷିତ ଗଡ଼ମ୍ୟାନ ନିତ୍ୟାନନ୍ଦଙ୍କ ଅବାସ୍ତବ ଦେଶ। ସାମାଜିକ ଗଣମାଧ୍ୟମରେ କୈଳାସ ପକ୍ଷରୁ ପୋଷ୍ଟ କରାଯାଇଥିବା ଫଟୋ ଓ ଭିଡିଓରୁ ଜଣାଯାଇଛି ଜାତିସଂଘରେ ଉକ୍ତ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ବିଜୟପ୍ରିୟା ନେଇଛନ୍ତି।

Advertisment

ସେ ନିଜକୁ ଜାତିସଂଘରେ କୈଳାସର ସ୍ଥାୟୀ ପ୍ରତିନିଧି ବୋଲି ପରିଚୟ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, ବିଜୟପ୍ରିୟା ଆମେରିକାରେ ବାସ କରନ୍ତି ଏବଂ କାନାଡ଼ାର ମାନିଟୋବା ବିଶ୍ବବିଦ୍ୟାଳୟରୁ ୨୦୧୪ରେ ମାଇକ୍ରୋବାୟୋଲୋଜିରେ ଶିକ୍ଷା ଲାଭ କରିଛନ୍ତି। ବିଜୟପ୍ରିୟା ଇଂରାଜୀ ସମେତ ଫ୍ରେଞ୍ଚ, କ୍ରିଓଲି ଆଦି ଭାଷାରେ ଦକ୍ଷତାର ସହ କଥାବାର୍ତ୍ତା କରିପାରନ୍ତି। ତାଙ୍କ ଡାହାଣ ହାତରେ ନିତ୍ୟାନନ୍ଦଙ୍କର ଏକ ଟାଟୁ ରହିଛି। ଜାତିସଂଘ ବୈଠକରେ କୈଳାସ ପକ୍ଷରୁ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ। ସେମାନେ ନିତ୍ୟାନନ୍ଦଙ୍କ ପୋଷ୍ଟର ସାଙ୍ଗରେ ନେଇଥିଲେ। ତାଙ୍କ ଗୁରୁ ନିତ୍ୟାନନ୍ଦଙ୍କ ପ୍ରତି ଭାରତ ଅନ୍ୟାୟ କରିଛି ବୋଲି ବିଜୟପ୍ରିୟା ମନ୍ତବ୍ୟ ରଖିଥିଲେ। କିନ୍ତୁ ପରେ ସେ ଏ ନେଇ ସ୍ପଷ୍ଟୀକରଣ ଦେଇ ଭାରତକୁ କୈଳାସ ଉଚ୍ଚ ଦୃଷ୍ଟିରେ ଦେଖୁଛି ବୋଲି କହିଛନ୍ତି। ତେବେ ୟୁ‌ନାଇଟେଡ ଷ୍ଟେଟ୍ସ ଅଫ୍ କୈଳାସ (ୟୁଏସକେ)ର ପ୍ରତିନିଧିମାନେ ଯାହା କିଛି ଦାଖଲ କରିଛନ୍ତି ତାହା ଏକ ସଂଗଠନର ମନ୍ତବ୍ୟ ଭାବେ ଗ୍ରହଣ କରାଯାଇଛି। ଦୁଷ୍କର୍ମ ଅଭିଯୁକ୍ତ ତାମିଲନାଡ଼ୁର ନିତ୍ୟାନନ୍ଦ ୨୦୧୮ରେ ଭାରତ ଛାଡ଼ି ବିଦେଶ ପଳାଇଛନ୍ତି।