ତୀର୍ଥଯାତ୍ରା ପାଲଟୁଛି ଶେଷ ଯାତ୍ରା। ତୀର୍ଥ ଯାଇ ଫେରୁନାହାନ୍ତି ଶ୍ରଦ୍ଧାଳୁ। ପାହାଡ଼ ତଳକୁ ଖସି ତ କେତେବେଳେ ମାଟି ତଳେ ଚାପି ହୋଇ ଯାଉଛି ଜୀବନ। ବ୍ୟସ୍ତବହୁଳ ଜୀବନ‌ରେ ଟିକିଏ ଶାନ୍ତି ପାଇଁ ଲୋକେ ତୀର୍ଥସ୍ଥାନକୁ ଯାତ୍ରା କରୁଛନ୍ତି। ଅତୀତ ଅପେକ୍ଷା ଏବେ ଅଧିକ ଲୋକ ତୀର୍ଥସ୍ଥାନକୁ ଯାଉଥିବା ଦେଖାଯାଇଛି। ଆଗରୁ ବରିଷ୍ଠ ଲୋକମାନ‌େ ତୀର୍ଥସ୍ଥାନ ଯାତ୍ରା କରିବାକୁ ପସନ୍ଦ କରୁଥିବା ବେଳେ ଏବେ ଏହି ଟ୍ରେଣ୍ଡ ବଦଳିଛି। ଏବେ ଯୁବପିଢ଼ିମାନେ ମଧ୍ୟ ତୀର୍ଥସ୍ଥାନକୁ ଯିବାକୁ ଅଧିକ ଉତ୍ସାହ ଦେଖାଉଛନ୍ତି। ହେଲେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଅନେକଙ୍କୁ ଭାବିବାକୁ ବାଧ୍ୟ କରିଛି। ତୀର୍ଥସ୍ଥାନ ଯାଇ ଆଉ ଫେରିବି କି ନାହିଁ ବୋଲି ଭାବୁଛନ୍ତି ଲୋକେ। ଅନେକ ମାତାପିତା‌ ନିଜ ପିଲାଙ୍କୁ ଛାଡ଼ିବାକୁ ଇଚ୍ଛା କରୁନଥିବା ବେଳେ ଦୁର୍ଘଟଣାର ଖବର ପଢ଼ି ଅନେକ ଲୋକ ଘରୁ ବାହାରିବାକୁ ଡରୁଥିବା ‌ଜଣାଯାଇଛି।

Advertisment

ଯଦି ଆମେ ଚଳିତ ବର୍ଷ କଥା କହିବା ତେବେ ଏହି ୮ମାସ ମଧ୍ୟରେ ଅନେକ ଲୋକଙ୍କ ଜୀବନ ଯାଇଛି। ସଦ୍ୟତମ ଘଟଣା ହେଉଛି ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀରେ ଭୂସ୍ଖଳନ ହେବା ଘଟଣା। ଏପର୍ଯ୍ୟନ୍ତ ୩୨ଜଣକର ମୃତ୍ୟୁ ହୋଇସାରିଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲା ସ୍ଥିତ ତ୍ରିକୂଟ ପାହାଡ଼ ଉପରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ରାସ୍ତାରେ ମଙ୍ଗଳବାର ଭୂସ୍ଖଳନ ହୋଇଥିଲା। ଅର୍ଦ୍ଧକୁମ୍ବାରୀରେ ଅବସ୍ଥିତ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଏହି ଭୂସ୍ଖଳନ ଘଟିଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ୩୨ଜଣଙ୍କର ମୃତ୍ୟୁ ହୋଇସାରିଛି। ଆହୁରି କିଛି ଭକ୍ତ ପୋତି ହୋଇରହିଥିବା ଆଶଙ୍କା କରାଯାଉଛି । ମଙ୍ଗଳବାରକୁ ମିଶାଇ ଲଗାତାର ତୃତୀୟ ଦିନ ପାଇଁ ଜମ୍ମୁ କାଶ୍ମୀରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା, ଯାହା ଯୋଗୁଁ ତ୍ରିକୂଟ ପାହାଡ଼ ଉପରେ ଭୂସ୍ଖଳନ ହୋଇଥିଲା ବୋଲି କୁହାଯାଉଛି।

୨ଦିନ ତଳେ ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା  ଆର୍ନିଆ ଥାନା ଅଞ୍ଚଳରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା। ୩୪ ନମ୍ବର ଜାତୀୟ ରାଜପଥର ଘାଟଲ ଗ୍ରାମ ନିକଟରେ ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଦ୍ରୁତଗାମୀ କଣ୍ଟେନର ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ।

ଅଗଷ୍ଟ ୧୫ତାରିଖ କଥା କହିବାକୁ ଗଲେ ଏହି ଦିନ ୧୦ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ବିହାରରୁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ପଶ୍ଚିମବଙ୍ଗରେ ଦୁର୍ଘଟଣାର ଶିକାର ହୋଇଥିଲା। ଟ୍ରକ୍ ସହିତ ଧକ୍କା ଖାଇବା ଫଳରେ ୧୦ଜଣଙ୍କର ଜୀବନ ଯାଇଥିଲା। ଅଗଷ୍ଟ ୧୧ରେ ୪୦ଜଣ ମହିଳାଙ୍କୁ ଭଗବାନ କୁଣ୍ଡେଶ୍ୱରଙ୍କ ମନ୍ଦିରକୁ ନେଇ ଯାଉଥିବା ଏକ  ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ୫/୬ ଗଡ଼ା ଖାଇ ରାସ୍ତାରୁ ତଳକୁ ଓଲଟି ପଡ଼ିଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ୨୫ରୁ ୩୦ଜଣ ଯାତ୍ରୀ ଆହତ ହୋଇଥିଲେ।

ଜୁଲାଇ ମାସରେ ଝାଡ଼ଖଣ୍ଡର ଦେଓଘରରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍, ସିଲିଣ୍ଡର ଭର୍ତ୍ତି ଟ୍ରକ୍ ସହିତ୍ ଧକ୍କା ଖାଇଥିଲା। ଏହା ଫଳରେ ପ୍ରାୟ ୧୮ଜଣଙ୍କର ମୃତ୍ୟୁ ହୋଇଥିଲା।

ବର୍ଷ ଆରମ୍ଭ ହେଉ ହେଉଛି ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ ମେଳାରୁ ଦୁଃଖଦ ଖବର ଆସିଥିଲା। ଜାନୁଆରି ୨୯, ୨୦୨୫ରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ମୌନୀ ଅମାବାସ୍ୟା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରୁ ଦଳାଚକଟା ଘଟି ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ ରୁ ଅଧିକ ଆହତ ହୋଇଥିଲ।