ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଜଟିଳ ମୋଡ଼ ନେଇଛି। ଗେହଲଟଙ୍କ ବିରୋଧରେ ପୁଣିଥରେ ଟିପ୍ପଣୀ ରଖି ସଚିନ ପାଇଲଟ କହିଛନ୍ତି ଯେ ଗେହଲଟଙ୍କ ବସ୍ ସୋନିଆ ନୁହନ୍ତି, ବସୁନ୍ଧରା ରାଜେ ହେଉଛନ୍ତି ଗେହଲଟଙ୍କ ବାସ୍ତବ ବସ୍। ଏହି କାରଣ ପାଇଁ ଗେହଲଟ ଦୁର୍ନୀତି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନାହାନ୍ତି। ପାଇଲଟ କହିଛନ୍ତି, ଗତ ୫ ବର୍ଷ ଧରି ମୁଁ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି। ତେବେ ମୁଖ୍ୟମନ୍ତ୍ରୀଙ୍କ ଢୋଲପୁର ଭାଷଣ ଶୁଣିବାପରେ ମୁଁ ବୁଝିପାରିଲି ଯେ ଦୁର୍ନୀତି ବିରୋଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି।
ସୋନିଆ ନୁହନ୍ତି, ବସୁନ୍ଧରା ରାଜେ ଗେହଲଟଙ୍କ ବସ୍’
ମେ’ ୧୧ରେ ଦୁର୍ନୀତି ବିରୋଧରେ ପଦଯାତ୍ରା
ପାଇଲଟ କହିଛନ୍ତି, ମେ’ ୧୧ ତାରିଖରୁ ସେ ଅଜମେରରୁ ଜୟପୁର ପର୍ଯ୍ୟନ୍ତ ୫ ଦିନିଆ ଜନ ସଂଘର୍ଷ ପଦଯାତ୍ରା କରିବେ। ଉଲ୍ଲେଖଯୋଗ୍ୟ, ଅଶୋକ ଗେହଲଟ ରବିବାର ଦିନ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ୨୦୨୦ରେ ତାଙ୍କ ସରକାରକୁ ସୁରକ୍ଷା ଦେବାପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସାହାଯ୍ୟ କରିଥିଲେ। ଅନ୍ୟପକ୍ଷେ ବସୁନ୍ଧରା ରାଜେ କହିଛନ୍ତି, ଗେହଲଟଙ୍କ ପ୍ରଶଂସା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ଏବଂ ଏଭଳି ବୟାନ ଦ୍ବାରା ତାଙ୍କର ଅପମାନ ହୋଇଛି।