ଗୁପ୍ତ ସ୍ଥାନକୁ ଗଲେ ପାଇଲଟ୍‌ ଗୋଷ୍ଠୀ, ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇପାରେ

ଗେହଲଟ ଗୋଷ୍ଠୀ ଏବେ ବି ହୋଟେଲ୍‌ରେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ସ୍ବର ନମୁନା ଦିଅନ୍ତୁ: କଂଗ୍ରେସ

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ଭିତରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ୍‌ଙ୍କ ସମର୍ଥକ ବିଧାୟକ ଗୋଷ୍ଠୀ ଏବେ ହରିୟାଣା ମ‌ନେସର ସ୍ଥିତ ରିସୋର୍ଟ ଛାଡ଼ି କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। କିଛି ବିଧାୟକ ହରିୟାଣାର ‘ବେଷ୍ଟ ୱେଷ୍ଟର୍ନ ରିସୋର୍ଟ’ରେ ଥିବା ଖବର ମିଳିବା ପରେ ରାଜସ୍ଥାନ ପୁଲିସ ସେଠାକୁ ଯାଇଥିଲା। ତେବେ ହୋଟେଲ୍‌ ଗେଟ୍‌ ନ ଖୋଲିବାରୁ ପୁଲିସ ନିରାଶରେ ଫେରିଛି। ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ ବିଧାୟକ ଗୋଷ୍ଠୀ ଏବେ ବି ଫେୟାରମଣ୍ଟ ହୋଟେଲରେ ଅଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ୧୦୨ ଜଣ ବିଧାୟକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ବୋଲି ଦର୍ଶାଇ ସେମାନଙ୍କ ତାଲିକା ପ୍ରଦାନ କରିଥିଲେ।

ଖୁବ୍‌ଶୀଘ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇପାରେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଆଜି ଏନ୍‌ଡିପି ନେତା ତଥା ଏନ୍‌ଡିଏ ସହଯୋଗୀ ହନୁମାନ ବେନିୱାଲ କହିଛନ୍ତି ଯେ ସେ ସଚିନ ପାଇଲଟ୍‌ଙ୍କୁ ସମର୍ଥନ ଦେବେ। ଗେହଲଟ ସରକାର ଫୋନ୍‌ ଟ୍ୟାପିଂ କରିଥିବା ସ୍ପଷ୍ଟ ହୋଇଯାଇଥିବାରୁ ଏହାର ସିବିଆଇ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି। ଆସନ୍ତାକାଲି ହାଇକୋର୍ଟରେ ଦଳବଦଳ ଆଇନକୁ ଚ୍ୟାଲେଂଜ କରି ଗେହଲଟ୍‌ ଗୋଷ୍ଠୀର ଆବେଦନ ଉପରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଦଳ ବିଦଳ ଆଇନରେ ସଂଶୋଧନ ଆଣି ଏହାକୁ ଅଧିକ କଠୋର କରାଯିବାକୁ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଆଜି ଦାବି କରିଛନ୍ତି। ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସାମିଲ ଅଛନ୍ତି ବୋଲି ଅଡିଓ ଟେପ୍‌ରୁ ପ୍ରମାଣ ମିଳିଥିବାରୁ ଏହାର ତଦନ୍ତ ପାଇଁ ମନ୍ତ୍ରୀ ସିଂହ ତାଙ୍କ ସ୍ବର ନମୁନା ଦିଅନ୍ତୁ ବୋଲି କଂଗ୍ରେସ ନେତା ଅଜୟ ମାକନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

କଂଗ୍ରେସ ବିଧାୟକଙ୍କ ଅଭିଯୋଗ ଘୋଡ଼ା ବେପାରରେ ରାଜେ ସମ୍ପୃକ୍ତ
ଜୟପୁର : ରାଜସ୍ଥାନ ସରକାର ଭାଙ୍ଗିବା ପାଇଁ ‌ହୋଇଥିବା ଘୋଡ଼ା ବେପାରରେ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜ‌େ ସମ୍ପୃକ୍ତ ବୋଲି ଜଣେ କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୁଡ଼ା କହିଛନ୍ତି , ଉକ୍ତ ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତି ସଂଜୟ ଜୈନ ତାଙ୍କୁ ଦୀର୍ଘ ୮ ମାସ ପୂର୍ବେ ବସୁନ୍ଧରା ରାଜେ ଏବଂ ଅନ୍ୟମାନଙ୍କୁ ଭେଟିବାପାଇଁ ଅନୁରୋଧ କରିଥିଲେ । ଜୈନଙ୍କ ପରି ଆହୁରି ଅନେକ ପ୍ରତିନିଧି ମଧ୍ୟ ଘୋଡ଼ା ବେପାରରେ ସମ୍ପୃକ୍ତ ଥିଲେ ବୋଲି ସେ କହିଛନ୍ତି।

ଅଡିଓ କ୍ଲିପ୍‌ ମାମଲାର ତଦନ୍ତ ପାଇଁ ୮ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠନ
ଜୟପୁର : ରାଜସ୍ଥାନରେ ଅଶୋକ ଗେହଲଟ୍‌ ସରକାର ଭାଙ୍ଗିଦେବାପାଇଁ ହୋଇଥିବା ଷଡ଼ଯନ୍ତ୍ର ଏବଂ କଥାବାର୍ତ୍ତାର ଯେଉଁ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ତା’ର ଯାଞ୍ଚ କରାଯିବ। ଉକ୍ତ ଘଟଣାର ତଦନ୍ତ ପାଇଁ ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗଠନ ହୋଇଛି। ଏସ୍‌ଓଜି ପକ୍ଷରୁ ମଧ୍ୟ ଗତକାଲି ଉକ୍ତ ମାମଲାରେ ୨ଟି ଏଫ୍‌ଆଇଆର ରୁଜୁ ହୋଇଥିଲା। ଏଫ୍‌ଆଇଆରରେ କଂଗ୍ରେସ ବିଧାୟକ ଭନୱରଲାଲ୍‌ ଶର୍ମା, ଗଜେନ୍ଦ୍ର ସିଂହ ଏବଂ ସଂଜୟ ଜୈନଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର