କୋହ୍ଲାପୁର/ନାଶିକ: ମହାରାଷ୍ଟ୍ରର ଜଣେ ପିଆଜ ଚାଷୀ ରାଜେନ୍ଦ୍ର ତୁକାରାମ ଚୌହାନ ଚଳିତ ବର୍ଷ ୫୧୨ କେଜି ପିଆଜ ଅମଳ କରି ମାତ୍ର ୨ଟଙ୍କା ୪୯ ପଇସା ପାଇଛନ୍ତି। ମଣ୍ଡି ପ୍ରଶାସନ ପକ୍ଷରୁ ତାଙ୍କୁ ୨ ଟଙ୍କାର ପୋଷ୍ଟ୍ ଡେଟେଡ଼ ଚେକ୍ ମିଳିଛି ଯାହାକି ସେ ୧୫ ଦିନ ପରେ ପାଇପାରିବେ। ସୋଲାପୁର ଜିଲ୍ଲା ଅନ୍ତର୍ଗତ ବାର୍ସି ତାଲୁକାର ବୋରଗାଓଁ ଗ୍ରାମର ଚାଷୀ ରାଜେନ୍ଦ୍ର ୫୧୨ କିଲୋ ପିଆଜ ବିକିବାପାଇଁ ୭୦ କିମି ଯାତ୍ରା କରି ସୋଲାପୁର ଏପିଏମ୍ସିରେ ପହଞ୍ଚିଥିଲେ। ସେ ପିଆଜ କିଲୋ ପିଛା ୧ ଟଙ୍କା ଦରରେ ବିକିଥିଲେ। କିନ୍ତୁ ୫୧୨ କିଲୋ ପିଆଜ ବିକିବାପରେ ତାଙ୍କୁ ମାତ୍ର ୨ ଟଙ୍କା ୪୯ ପଇସା ମିଳିଲା।
ଏହାପରେ ମଣ୍ଡି ପକ୍ଷରୁ ତାଙ୍କୁ ୨ଟଙ୍କାର ଚେକ୍ ଦିଆଗଲା। ଚୌହାନ କହିଛନ୍ତି, ପିଆଜ କିଲୋପିଛା ୧ ଟଙ୍କା ମିଳିଥିଲେ ମଧ୍ୟ ମଣ୍ଡି ବ୍ୟବସାୟୀ ପରିବହନ ଖର୍ଚ୍ଚ ବାବଦକୁ ମୋଟ୍ ୫୦୯ ଟଙ୍କା ୫୦ ପଇସା କାଟି ଦେଇଛନ୍ତି। ରାଜେନ୍ଦ୍ର କହିଛନ୍ତି ଗତ ୩-୪ ବର୍ଷ ମଧ୍ୟରେ ବିହନ ଏବଂ ସାର ଦର ଦ୍ବିଗୁଣା ହୋଇଛି। ୫୦୦ କିଲୋ ପିଆଜ ପାଇଁ ମୁଁ ଏଥର ୪୦ ହଜାର ଟଙ୍କା ଖର୍ଚ୍ଚ କରିଛି। କିନ୍ତୁ ପାଇଲି ମାତ୍ର ୨ ଟଙ୍କା। ଇତିମଧ୍ୟରେ ସୋଲାପୁର ଏପିଏମ୍ସି ବ୍ୟବସାୟୀ ନସିର ଖଲିଫା ପୋଷ୍ଟ ଡେଟେଡ୍ ଚେକ୍ ପାଇଁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଆମେ ଚେକ୍ ଏବଂ ରସିଦ ଜାରି ପ୍ରକ୍ରିୟା ନିୟମ ମୁତାବକ କରିଛୁ। ଏହି କାରଣ ପାଇଁ ଚାଷୀ ରାଜେନ୍ଦ୍ରଙ୍କୁ ପୋଷ୍ଟ-ଡେଟେଡ୍ ଚେକ୍ ମିଳିଛି। ପୂର୍ବରୁ ମଧ୍ୟ ଅତି କମ୍ ଟଙ୍କାର ଚେକ୍ ଚାଷୀଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି।