ପବନରେ ପୋଲ ଭୁଶୁଡ଼ିଲା ! ଆଇଏଏସ୍ ଅଫିସରଙ୍କ ବିବୃତିକୁ ନେଇ ଗଡ଼କରୀ ବିସ୍ମିତ

ନୂଆଦିଲ୍ଲୀ: ବିହାରର ସୁଲତାନଗଞ୍ଜଠାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ିପଡ଼ିବା ପରେ ତାହା ପବନରେ ଭୁଶୁଡ଼ିପଡ଼ିଲା ବୋଲି ଜଣେ ଆଇଏଏସ୍ ଅଫିସରଙ୍କ ବିବୃତିକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ବିସ୍ମୟ ପ୍ରକାଶ କରିଛନ୍ତି। ଗଡ଼କରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି, ଏପ୍ରିଲ ୨୯ ତାରିଖରେ ବିହାରରେ ପୋଲଟି ଭୁଶୁଡ଼ିଲା। ମୁଁ ମୋ ସେକ୍ରେଟେରିଙ୍କୁ କାରଣ ପଚାରିଲି। ସେ କହିଲେ ଜୋରରେ ପବନ ବହିବାରୁ ଭୁଶୁଡ଼ିପଡ଼ିଲା। ଜଣେ ଆଇଏଏସ୍ ଅଫିସର କିପରି ଏ ପ୍ରକାର ସଫେଇକୁ ବିଶ୍ବାସ କରିପାରନ୍ତି, ତାହା ତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ବୋଲି ଗଡ଼କରୀ କହିଛନ୍ତି। ସେ କହିଛନ୍ତି ନିର୍ମାଣରେ କିଛି ତ୍ରୁଟି ରହିଥିବାରୁ ପୋଲ ଭୁଶୁଡ଼ିଥିବ, ପବନରେ କେମିତି ତାହା ଭୁଶୁଡ଼ିପାରିବ? ମାନରେ ସାଲିସ ନ କରି କମ୍ ଖର୍ଚ୍ଚରେ ନିର୍ମାଣ କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇ ଆସିଛନ୍ତି। କିନ୍ତୁ ଏହି ପୋଲ ଭୁଶୁଡ଼ିବା ପଛରେ ନିମ୍ନମାନର କାମ ଓ ନିମ୍ନମାନର ସାମଗ୍ରୀର ବ୍ୟବହାର ହିଁ ଏକମାତ୍ର କାରଣ ହୋଇପାରେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର