ଶ୍ରୀନଗରରେ ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୁଲିସକର୍ମୀ ସହିଦ୍

ଶ୍ରୀନଗର: ଆଜି ସକାଳେ ଜମ୍ମୁ-କାଶ୍ମୀରର ଶୋପିଆଁରେ ସୁରକ୍ଷା କର୍ମୀ ୩ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଶ୍ରୀନଗରରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀମାନେ ଗୁଳିକରି ଦୁଇଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ଏହାର ଆଧାରରେ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ସେମାନଙ୍କ ହାତରେ ଏକେ ୪୭ ରାଇଫଲ  ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଗହଟ୍ ନିକଟରେ ଶୁକ୍ରବାର ଲସ୍କର ଆତଙ୍କବାଦୀମାନେ ହମଲା କରିଛନ୍ତି । ଏଥିରେ ୨ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ଖବର ମିଳିଛି । ପୁଲିସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଆତଙ୍କବାଦୀମାନେ ପୁଲିସକର୍ମୀଙ୍କ ଉପରକୁ ଅତି ନିକଟରୁ ଗୁଳି ଚାଳନା କରିଥିଲେ। ଏହାପରେ ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ଉଭୟ ପୁଲିସକର୍ମୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ୨ ପୁଲିସ କର୍ମଚାରୀ କନେଷ୍ଟବଳ ବୋଲି ଜଣାପଡିଛି। ଏହି ଘଟଣା ପରେ ସୁରକ୍ଷାବଳ ତରଫରୁ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛିି।

ସୂଚନାଯୋଗ୍ୟ, ଗତ ୩ ଦିନ ମଧ୍ୟରେ ହାୱାଇଆଡ୍ଡା ଅଞ୍ଚଳରେ ଆତଙ୍କବାଦୀଙ୍କ ପକ୍ଷରୁ ୨ ଥର ଆକ୍ରମଣ ହୋଇଛି । ବୁଧବାର ଦିନ ଦୁର୍ଗାନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ସେମାନେ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ବିଦେଶରୁ ୨୪ ଜଣ ସଦସ୍ୟ ମଣ୍ଡଳୀ ପ୍ରତିନିଧି ଜମ୍ମୁ-କାଶ୍ମୀର ସ୍ଥିତି ଆକଳନ କରିବାକୁ ଜମ୍ମ ଗସ୍ତରେ ଆସିଛନ୍ତି ।

ସମ୍ବନ୍ଧିତ ଖବର