ପୁରୀ: ପୁଲିସର ଅମୋଘ ଅସ୍ତ୍ର ପାଲଟିଛି ‘ପାଲଟା ଏତଲା’। ଗୋଟିଏ ଅଭିଯୋଗ ପହଞ୍ଚିବା ପରେ ପ୍ରତିପକ୍ଷକୁ ଡାକି ଅଭିଯୋଗକାରୀଙ୍କ ବିରୋଧରେ ଏତଲା ଲେଖିବା ଏକ ପ୍ରକାର ଅଭ୍ୟାସ ହୋଇଯାଇଛି। ଅଭିଯୋଗକାରୀ ଡରିବା ପରେ ଏତଲା ପ୍ରତ୍ୟାହାର କରିବ କିମ୍ବା ବୁଝାମଣାକୁ ଆସିବ। ଏକଥା ପୁଲିସକୁ ଭଲ ଭାବରେ ଜଣା। ଏତଲା ପହଞ୍ଚିବା ପରେ ପ୍ରଥମେ ପ୍ରଥମିକ ତଦନ୍ତ ନାଁରେ କିଛି ଦିନ ପକାଇ ଦେଇ ପାଲଟା ଏତଲା ଯୋଜନା କରାଯିବ। ଶହେରୁ ୫୦ଟି ଏତଲାରେ ପୁଲିସର ଏଭଳି ଯୋଜନା ସଫଳ ହୁଏ। ଜଣେ ବରିଷ୍ଠ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଏଭଳି ସୂଚନା ଚନ୍ଦନପୁର ଥାନାରେ ପ୍ରତିଫଳିତ ହୋଇଛି। ଜଣେ ଗରିବ ଚାଷୀଙ୍କ ବାଡ଼ ତାଡ଼ି ଆକାଶିଆ ଗଛ ଜବରଦସ୍ତ ନେଇଥିବା ଅଭିଯୋଗର ତଦନ୍ତ କରିବା ପରିବର୍ତ୍ତେ ଚନ୍ଦନପୁର ଥାନା ପୁଲିସ ଅଭିଯୋଗକାରୀଙ୍କୁ ପାଲଟା ଏତଲା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ କେବଳ ପୁରୀ ଏସ୍‌ପିଙ୍କ ପାଖରେ ସୀମିତ ନାହିଁ, ବରଂ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିଛି। ଯାହାକୁ ନେଇ ଚନ୍ଦନପୁର ଥାନା ଅଧିକାରୀ ଏବେ ଚିନ୍ତାରେ ପଡ଼ିଛନ୍ତି। 

Advertisment

ଅଭିଯୋଗକାରୀ ହେଉଛନ୍ତି ଦଣ୍ଡା ଗ୍ରାମର ଯୁଧିଷ୍ଠିର ପ୍ରଧାନ। ଗତ ଜୁଲାଇ ମାସରେ ତାଙ୍କ ଚାଷ ଜମିରେ ଥିବା କିଆ ବାଡ଼କୁ ଜେସିବି ମେସିନରେ ତାଡ଼ି ସେଠାରେ ଥିବା ଦାମୀ ଆକାଶିଗଛକୁ କିଛି ଲୋକ କାଟି ନେଇଯାଉଥିଲେ। ଯୁଧିଷ୍ଠିର ପ୍ରତିବାଦ କରିବାରୁ ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିବାକୁ ଉଦ୍ୟତ ହୋଇଥିଲେ। ଏ ନେଇ ଯୁଧିଷ୍ଠିର ଭୟଭୀତ ହେଇ ଚନ୍ଦନପୁର ଥାନାରେ ପହଞ୍ଚିଥିଲେ। ଫସଲ ନଷ୍ଟ ହୋଇଥିବା ନେଇ ସେ ଲିଖିତ ଅଭିଯୋଗ କଲେ। କିନ୍ତୁ ଚନ୍ଦନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଭୁବନ ସାମନ୍ତରାୟ କୌଣସି ପଦକ୍ଷେପ ନେଇ ନଥିଲେ। ଜଣେ ହେଲେ କର୍ମଚାରୀ ଘଟଣାସ୍ଥଳକୁ ଯାଇ ନଥିଲେ। ବରଂ ସନ୍ଧ୍ୟାରେ ଆସ ବୋଲି କହିଥିଲେ। ସନ୍ଧ୍ୟାରେ ସେ ଥାନାରେ ପହଞ୍ଚିବା ବେଳକୁ ସେଠାରେ ପୂର୍ବରୁ ଅଭିଯୁକ୍ତମାନେ ଉପସ୍ଥିତ ଥିଲେ। ଯୁଧିଷ୍ଠୀରଙ୍କ ନାମରେ ପାଲଟା ଅଭିଯୋଗ ଦେଉଥିବା କହିଥିଲେ। ପୁଲିସ ମଧ୍ୟ ଦୁଇଟି ଏତଲାରେ ଉଭୟଙ୍କୁ ଗିରଫ କରିବ ବୋଲି କହିଥିଲା। ଯଦିଓ ଯୁଧିଷ୍ଠୀର ପ୍ରଥମେ ଏତଲା ଦେଇଥିଲେ। 

ଏଥିରେ ଭୟଭୀତ ହୋଇ ସେ ଘରକୁ ଫେରି ଆସିବା ସହ ଅଭିଯୁକ୍ତମାନଙ୍କର ଅଭିଯୋଗପତ୍ର ଓ ଘଟଣା ଦିନ (ଜୁଲାଇ ୧୯ ତାରିଖ)ର ଥାନାର ସିସିଟିଭି ଫୁଟେଜ୍‌ ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ। ହେଲେ ସମ୍ବେଦନଶୀଳ ଘଟଣା ଦର୍ଶାଇ ଥାନା ଅଧିକାରୀ ସିସିଟିଭି ଫୁଟେଜ୍‌ କିମ୍ବା ଦେଇ ନଥିଲେ। ତେବେ ଏହି ଘଟଣା କେବଳ ଚନ୍ଦନପୁର ଥାନାର ନୁହେଁ, ବରଂ ଅନେକ ଥାନାରେ ଏଭଳି ଏତଲାକାରୀକୁ ପାଲଟା ଧମକ ଦିଆଯାଇ ଅଭିଯୋଗର ରଫାଦଫା କରାଯାଉଛି। ବଡ଼ବଡ଼ିଆ କିମ୍ବା ଗୁଣ୍ଡାଙ୍କ ବିରୋଧରେ ଅଭିଯୋଗ ହେଲେ ପୁଲିସ ଜୋରଜବରଦସ୍ତ ଏଭଳି କରୁଥିବା ଅଭିଯୋଗ ହୋଇଛି। ବଡ଼ବଡ଼ିଆ ଓ ଗୁଣ୍ଡାଙ୍କୁ ଏଭଳି ସୁରକ୍ଷା ଦେବାପାଇଁ ଥାନାର ବେଶ ଭଲ ରୋଜଗାର ହେଉଥିବା ଅଭିଯୋଗ ରହିଛି। 

ଏ ନେଇ ଚନ୍ଦନପୁର ଥାନା ଅଧିକାରୀ ଭୁବନ ସାମନ୍ତରାୟ କହିଛନ୍ତି, ତଦନ୍ତରେ କୌଣସି ବିଳମ୍ବ ହୋଇ ନାହିଁ କିମ୍ବା ପାଲଟା ଅଭିଯୋଗର ଧମକ ମଧ୍ୟ ଦିଆଯାଇ ନାହିଁ। ବରଂ ଅଭିଯୋଗ ଆସିବା ପରେ ଏଏସ୍‌ଆଇ ଜ୍ୟୋତିର୍ମୟୀ ପଣ୍ଡାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।