ନେପାଳରେ ରାଜନୈତିକ ସଙ୍କଟ ଜଟିଳ, ସୋମବାର ଇସ୍ତଫା ଦେଇପାରନ୍ତି ଓଲି

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଚଣ୍ଡ

କାଠମାଣ୍ଡୁ: ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟିରେ ଆଭ୍ୟନ୍ତରୀଣ କଳହ ଚରମ ସୀମାରେ ପହଞ୍ଚିଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାରୁ ଦଳରେ ମଧ୍ୟ ଏହାକୁ ନେଇ ବିଭାଜନ ଦେଖାଦେଇଛି। ଭାରତ ବିରୋଧରେ ଲଗାତାର ବୟାନ ଦେଇ ଓଲି ନିଜ ଆସନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏବେ ପରିସ୍ଥିତି ଅତି ଜଟିଳ ହୋଇଛି ଏବଂ ଆଗାମୀ ସୋମବାର ଦିନ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନେପାଳ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ବୈଠକ ଆଜି ଅନୁଷ୍ଠିତ ହୋଇ ଓଲିଙ୍କ ଭବିଷ୍ୟତ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା। ତେବେ ଏହି ବୈଠକକୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି।

ଏହି ବୈଠକରେ ଓଲି ଇସ୍ତଫା ଦେବେ ବୋଲି ଆଲୋଚନା ହେଉଛି। ଓଲିଙ୍କ ଭାରତ ବିରୋଧୀ ବୟାନ ନେପାଳକୁ ଉଭୟ ରାଜନୈତିକ, କୂଟନୈତିକ ଓ ସାମରିକ କ୍ଷେତ୍ରରେ ଦୁର୍ବଳ କରିଦେଇଛି ବୋଲି କମ୍ୟୁନିଷ୍ଟ ପାର୍ଟିର ବହୁ ବରିଷ୍ଠ ନେତା ମତ ଦେଇଛନ୍ତି। ନେପାଳ ରାଜନୀତିରେ ଏବେ ଚୀନ୍‌ ସିଧାସଳଖ ହସ୍ତକ୍ଷେପ କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ନେପାଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ସଦସ୍ୟମାନେ କହିଛନ୍ତି। ନେପାଳରେ ଚୀନ୍‌ ରାଷ୍ଟ୍ରଦୂତଙ୍କ ପରାମର୍ଶକ୍ରମେ ଓଲି ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପ୍ରତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ଇତିମଧ୍ୟରେ ନେପାଳ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ଭେଟି ଦେଶର ସାଂପ୍ରତିକ ରାଜନୈତିକ ସ୍ଥିତିନେଇ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର