ପାକିସ୍ତାନରେ ରାଜନୈତିକ ସଙ୍କଟ ଚରମରେ: ଅନାସ୍ଥା ପୂର୍ବରୁ ଇମ୍ରାନ୍‌ଙ୍କ ସଙ୍କଟ ବଢ଼ିଲା, ଇସ୍ତଫା ପାଇଁ ସେନାର ଚାପ

ଇସ୍‌ଲାମାବାଦ: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଯାଇଛି। ବିରୋଧୀ ଦଳମାନେ ଏକଜୁଟ ହୋଇ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସନ୍ତାକାଲି ସଂସଦରେ ଆନୁଷ୍ଠାନିକ ଭାବେ ଆଗତ କରିବେ। ନ୍ୟାସନାଲ ଆସେମ୍ଲିର ବାଚସ୍ପତି ଯଦି ଏହି ପ୍ରସ୍ତାବକୁ ସ୍ବୀକାର କରିବେ ତା’ହେଲେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ୨୮ ମାର୍ଚ୍ଚରେ ଭୋଟ୍‌ ଗ୍ରହଣ ହେବ। ଇତିମଧ୍ୟରେ ଇମ୍ରାନ୍‌ଙ୍କ ଦଳର ଅନେକ ସାଂସଦ ମଧ୍ୟ ବିରୋଧୀ ଦଳ ସହିତ ଭିତିରିଆ ହାତ ମିଳାଇଥିବାରୁ ଇମ୍ରାନ୍‌ ସେମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ରାଜନୈତିକ ସଙ୍କଟ ଦିନକୁ ଦିନ ଗଭୀର ହେଉଥବା ଦେଖି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଆଇଏସ୍‌ଆଇ ମୁଖ୍ୟ ନଦୀମ ଅଂଜୁମ ଇମ୍ରାନଙ୍କ ଉପରେ ଇସ୍ତଫା ପାଇଁ ଚାପ ସୃଷ୍ଟି କରୁଥିବା ଖବର ଆସିଛି।

ଅନାସ୍ଥା ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ଇମ୍ରାନ ପଦ ଛାଡ଼ିଦେବା ନିମନ୍ତେ ସେନା ଅଧିକାରୀମାନେ ଚାପ ସୃଷ୍ଟି କରୁଥିବାରୁ ଖୁବ୍‌ଶୀଘ୍ର ଇମ୍ରାନଙ୍କ ଶାସନର ଅନ୍ତ ଘଟିବ ବୋଲି କୁହାଯାଉଛି। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବାପରେ ଇମ୍ରାନ ଯେଭଳି ରୁଷ୍‌ ଗସ୍ତରେ ଗଲେ ତାହାକୁ ନେଇ ସେନା କ୍ଷୁବ୍ଧ ହୋଇଛି। ଆମେରିକା ଓ ୟୁରୋପୀୟ ସଂଘ ବିନା କାରଣରେ ଏବେ ପାକିସ୍ତାନକୁ ଟାର୍ଗେଟ୍‌ କରୁଥିବାରୁ ଆଗକୁ ସଙ୍କଟ ବଢ଼ିବ ବୋଲି ସେନା ଆଶଙ୍କା କରୁଛି । ଅନ୍ୟପକ୍ଷରେ ଏଭଳି ସ୍ଥିତିର ମୁକାବଲା ପାଇଁ ଆବଶ୍ୟକ ହେଲେ ଇମ୍ରାନ୍‌ ସେନା ମୁଖ୍ୟ ବାଜୱାଙ୍କୁ ବରଖାସ୍ତ କରିପାରନ୍ତି ବୋଲି ମୁଧ୍ୟ କୁହାଯାଉଛି। ବାଜୱାଙ୍କ ସମେତ ୩ ସେନା ମୁଖ୍ୟଙ୍କୁ ମଧ୍ୟ ବଦଳାଇ ଦେବାକୁ ଇମ୍ରାନ ନିଷ୍ପତ୍ତି ନେଇପାରନ୍ତି। ଏଭଳି ହେଲେ ସେନା ବିଦ୍ରୋହ କରିବା ସମ୍ଭାବନା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର