ତେଜୁଛି ଫସଲ ବୀମା ରାଜନୀତି, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ବୀମା ଅନିୟମିତତାର ତଦନ୍ତ ଦାବି, ରାଜନୀତି କରାନଯାଉ: ତୋମାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ରାଶିକୁ ନେଇ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ଜାରିରହିଛି। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବରଗଡ଼ ଜିଲ୍ଲା କୃଷକ ପ୍ରତିନିଧିଦଳ ବୁଧବାର ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ କରିଛନ୍ତି। ୨୦୨୧ ମସିହା ଖରିଫ ଋତୁ ମରୁଡ଼ିରେ କ୍ଷତିପୂରଣକୁ ନେଇ ଘ‌ରୋଇ ବୀମା କଂପାନି ଏବଂ ଓଡ଼ିଶା ସରକାରୀ ଅଧିକାରୀମାନଙ୍କ ଚଞ୍ଚକତା ବିଷୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ସରକାରୀ ଅଧିକାରୀଙ୍କ ଦ୍ବାରା ତ୍ରୁଟିପୂର୍ଣ୍ଣ ଶସ୍ୟ କାଟ ପରୀକ୍ଷଣ ଓ ଘରୋଇ ବୀମା କମ୍ପାନିଗୁଡ଼ିକର ଅସାଧୁ ଉପାୟ ଅବଲମ୍ବନ ଉପରେ ତଦନ୍ତ ପାଇଁ ‌ଦାବି କରିଛନ୍ତି। ଅସାଧୁ ମେଣ୍ଟ ଯୋଗୁ ଉପଯୁକ୍ତ କାରିଗରୀର ଉପଯୋଗ କରାନଯାଇ ଶସ୍ୟ କାଟ ପରୀକ୍ଷଣ କରାଯାଇଛି ଓ ଉପଯୁକ୍ତ ବୀମା ରାଶି ପୈଠ କରାଯାଇ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମାରେ କେନ୍ଦ୍ର ସରକାର ନିଜ ଅଂଶଧନ ରାଜ୍ୟ ସରକାର ଓ ବୀମା କଂପାନିକୁ ଦେଇଥାନ୍ତି। ରାଜ୍ୟ ସରକାର ମାଗିବା ପୂର୍ବରୁ କେନ୍ଦ୍ର ସରକାର ଏହାକୁ ପଠାଇବା ପାଇଁ ପ୍ରୟାସ କରୁଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ନେଇ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ। ବୀମା କଂପାନି ଚୟନ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଓଡ଼ିଶା ସରକାରଙ୍କ ଦ୍ବାରା ବୀମା କଂପାନିଗୁଡ଼ିକର ଚୟନ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ହେଲା, ନିଜେ ଫସଲ କ୍ଷତି ସର୍ଭେ କରି କଂପାନିଗୁଡ଼ିକୁ ପ୍ରଦାନ କରିବା। କଂପାନି ଓ ରାଜ୍ୟ ସରକାରଙ୍କ ଆକଳନରେ ଯଦି କୌଣସି ଦ୍ବନ୍ଦ୍ବ ଉପୁଜେ, କେନ୍ଦ୍ର ସରକାର ମଧ୍ୟସ୍ଥତା କରି ସମାଧାନ କରିଥାନ୍ତି। ଯେବେ ବି ଓଡ଼ିଶାରୁ ଏଭଳି ମାମଲା ଆସିଛି, କେନ୍ଦ୍ର ସରକାର ମଧ୍ୟସ୍ଥତା କରି ଏହାର ସମାଧାନ ପାଇଁ ପ୍ରୟାସ କରିଛନ୍ତି।

ବରଗଡ ଜିଲ୍ଲା ପ୍ରସଙ୍ଗକୁ ଉଲ୍ଲେଖ କରି ଶ୍ରୀ ତୋମାର କହିଲେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦାୟିତ୍ବ ହେଲା ବୀମା କଂପାନି ଜରିଆରେ ଅର୍ଥରାଶିକୁ ଉପଲବ୍ଧ କରାନ୍ତୁ। ତାଙ୍କୁ ଦିଆଯାଇଥିବା ସୂଚନା ଅନୁସାରେ ଅନେକ ଚାଷୀଙ୍କୁ କ୍ଷତିପୂରଣ ରାଶି ମିଳିବା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାର ଓ ରାଜନୈତିକ ନେତାମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର