ଆପ୍‌ ନେତାଙ୍କ ଆତ୍ମହତ୍ୟାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟିର ଦିଲ୍ଳୀ ପ୍ରଦେଶ ବାଣିଜ୍ୟ ଶାଖା ସଂପାଦକ ସନ୍ଦିପ ଭରଦ୍ବାଜଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସନ୍ଦିପ ଭରଦ୍ବାଜଙ୍କ ରାଜୌରୀ ଗାର୍ଡେନ୍‌ ବାସଭବନରୁ ତାଙ୍କ ମୃତଦେହ ଗୁରୁବାର ଦିନ ଝୁଲନ୍ତା ଅବସ୍ଥାରେ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭରଦ୍ବାଜଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତେବେ ବିଜେପି ଭରଦ୍ବାଜଙ୍କ ମୃତ୍ୟୁ ଘଟଣାକୁ ଏମ୍‌ସିଡି ନିର୍ବାଚନରେ ଟିକେଟ୍‌ ବଣ୍ଟନ ସହ ଯୋଡ଼ିଛି।

ବିଜେପିର ଅମିତ ମାଲବୀୟ କହିଛନ୍ତି, ସନ୍ଦିପ ଭରଦ୍ବାଜ ଦିଲ୍ଲୀ ଏମସିଡି ନିର୍ବାଚନରେ ଟିକେଟ ପାଇବାପାଇଁ ବିପୁଳ ଟଙ୍କା ଦେଇଥିଲେ। କିନ୍ତୁ ଅରବିନ୍ଦ କେଜ୍ରିୱାଲ ତାଙ୍କଠାରୁ ଅଧିକ ଟଙ୍କା ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଟିକେଟ୍‌ ଦେଲେ। ତେଣୁ ଏଥିରେ ଭାଙ୍ଗିପଡ଼ି ଭରଦ୍ବାଜ ଆତ୍ମହତ୍ୟା କରିଥାଇ ପାରନ୍ତି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର କହିଛନ୍ତି, ସନ୍ଦିପ ଭରଦ୍ବାଜଙ୍କ ଆତ୍ମହତ୍ୟା ଖବର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଜଣେ ବ୍ୟକ୍ତି ରାଜନୀତିରେ ପୂରା ସକ୍ରିୟା ଥିବାବେଳେ ହଠାତ ଏଭଳି ଆତ୍ମହତ୍ୟା କରିବାର କାରଣ କ’ଣ ଲୋକମାନେ ଜାଣିବାକୁ ଚାହିଛନ୍ତି ବୋଲି ସେ କହିଛନ୍ତି।

ବିଜେପିର ମନୋଜ ତିୱାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏହା ଆତ୍ମହତ୍ୟା ନୁହେଁ ବରଂ ଏହା ହତ୍ୟା। ତିୱାରୀ କହିଛନ୍ତି, ଭରଦ୍ବାଜ ଟିକେଟ୍‌ ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ସେ ଯେଉଁ ଆସନ ପାଇଁ ଟଙ୍କା ଦେଇଥିଲେ ତାହା ବିକ୍ରି ହୋଇଗଲା। ତିୱାରୀ କହିଛନ୍ତି, ଆତ୍ମହତ୍ୟା ପାଇଁ ଉସୁକାଇବା ମଧ୍ୟ ହତ୍ୟା। ଅନ୍ୟପକ୍ଷେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସନ୍ଦୀପ ଭରଦ୍ବାଜଙ୍କ ମୃତ୍ୟୁକୁ ଟିକେଟ ବଣ୍ଟନ ସହ ଯୋଡ଼ିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର