ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତି‌ଷ୍ଠା ହେବ। ଉକ୍ତ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦଳର ବରିଷ୍ଠ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ କଂଗ୍ରେସ, ଟିଏମ୍‌ସି ଓ ସମାଜବାଦୀ ପାର୍ଟିର ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏହାକୁ ନେଇ ‌ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ଓ ବିଜେପିର ନେତାମାନେ ପରସ୍ପରକୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। କଂଗ୍ରେସକୁ ବିଜେପି ରାମ-ବିରୋଧୀ ଦଳ କହିଛି।

Advertisment

ଉଲ୍ଲେଖଯୋଗ୍ୟ, ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଏବଂ ଅଧୀର ରଂଜନ ଚୌଧୁରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି କଂଗ୍ରେସର ଅଫିସିଆଲ ହ୍ୟାଣ୍ଡେଲରେ ବୁଧବାର ଏକ ଚିଠି ଜରିଆରେ ସୂଚନା ଦିଆଯାଇଥିଲା। କଂଗ୍ରେସ ଏହାକୁ ଆରଏସଏସ/ବିଜେପି କାର୍ଯ୍ୟକ୍ରମ ବୋଲି ଆଖ୍ୟା ଦେଇଛି। ଅଯୋଧ୍ୟାରେ ମନ୍ଦିରକୁ ଆରଏସଏସ ଏବଂ ବିଜେପି ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ତେବେ ବିଜେପି ପକ୍ଷରୁ ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ନିୟମିତ ଭାବେ ହିନ୍ଦୁ ଓ ସନାତନ ଧର୍ମକୁ ଅପମାନିତ କରି ଆସୁଛନ୍ତି ବୋଲି ବିଜେପି କହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଗୁରୁବାର କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଠିକ୍ ଦର୍ଶାଇଛନ୍ତି। ବିଜେପି ଉକ୍ତ ଧାର୍ମିକ କାର୍ଯ୍ୟକୁ ଏକ ରାଜନୈତିକ ବ୍ୟାପାରରେ ପରିଣତ କରିଛି ବୋଲି ସେ ମତ ଦେଇଛନ୍ତି। ରାଜନୀତି ପାଇଁ ରାମ ମନ୍ଦିରର ଅପବ୍ୟବହାର କରାଯାଉଥିବାରୁ ୪ ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ଉତ୍ସବକୁ ବର୍ଜନ କରିଛନ୍ତି ବୋଲି ସେ କହିଛନ୍ତି। ସିଦ୍ଦରମୈୟାଙ୍କ ବୟାନ ଦୁଇ ଦଳ ମଧ୍ୟରେ ବାକଯୁଦ୍ଧ ଆରମ୍ଭ କରିଦେଇଛି। ବିଜେପି ସାଂସଦ ହରନାଥ ସିଂହ ଯାଦବ କହିଛନ୍ତି, କଂଗ୍ରେସ ରାମ ଜନ୍ମଭୂମି ଅଧିକାରକୁ ଆରମ୍ଭରୁ ବିରୋଧ କରି ଆସୁଛି। ଯେତେ ପ୍ରତିବନ୍ଧକ ସୃଷ୍ଟି କରାଯାଇ ପାରିବ ତାହାର ସୁଯୋଗକୁ କଂଗ୍ରେସ ହାତଛଡ଼ା କରୁନାହିଁ। କର୍ଣ୍ଣାଟକର ବିଜେପି ସଭାପତି ସିଟି ରବି କୁମାର କହିଛନ୍ତି, କଂଗ୍ରେସ ସର୍ବଦା ହିନ୍ଦୁତ୍ବ ବିରୋଧୀ।

‘ଅଯୋଧ୍ୟାରେ ତ୍ରେତୟା ଯୁଗର ଅନୁଭୂତି ପାଇବେ ରାମଭକ୍ତ’

ଲକ୍ଷ୍ନୌ: ଅଯୋଧ୍ୟାକୁ ଆସୁଥିବା ରାମଭକ୍ତମାନେ ତ୍ରେତୟା ଯୁଗର ଅନୁଭତି ପାଇବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରଙ୍କ ଅମଳରେ ଲୋକମାନେ ଅଯୋଧ୍ୟା ସଂପର୍କରେ କଥା ହେବାକୁ ଦ୍ବ‌ିଧା ବୋଧ କରୁଥିଲେ। କିନ୍ତୁ ବିଜେପି ସରକାର ଉକ୍ତ ମନ୍ଦିର ସହରରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ୫୦୦ ବର୍ଷର ସଂଘର୍ଷ ଶେଷ ହେବାକୁ ଆସୁଛି। ଆଜି ଅଯୋଧ୍ୟା‌ ବୁଲିବାକୁ ସମଗ୍ର ବିଶ୍ବ ଉଦ୍‌ଗ୍ରୀବ ରହିଛି। ସହରର ରାସ୍ତା, ବିମାନ ବନ୍ଦର ଏବଂ ରେଳ ଯୋଗାଯୋଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ନୂଆ ଭାରତର ନୂଆ ଉତ୍ତରପ୍ରଦେଶରେ ପ୍ରଭୁ ରାମଙ୍କ ଭକ୍ତମାନେ ଅଯୋଧ୍ୟାରେ ତ୍ରେତୟା ଯୁଗର ଅନୁଭୂତି ପାଇବେ ବୋଲି ସେ କହିଛନ୍ତି। ଅଯୋଧ୍ୟାକୁ ଏକ ଭବ୍ୟ ସହରରେ ପରିଣତ କରିବାକୁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ଅହରହ ଜାରି ରହିବ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା ଦେଶର ଶ୍ରେଷ୍ଠ ସହରରେ ପରିଣତ ହେବ ବୋଲି ଯୋଗୀ କହିଛନ୍ତି। ଲିଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‌ନେତୃତ୍ବରେ ଦେଶର ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରୁଛନ୍ତି। ସେହିଭଳି ପ୍ରତ୍ୟେକ ‌ଯୋଗ୍ୟ ହିତାଧିକାରୀ ସାମାଜିକ ମଙ୍ଗଳ ଯୋଜନାର ଲାଭ ବିନା ଭେଦଭାବରେ ପାଉଛନ୍ତି। ବିଜେପିର ରାଜ୍ୟ ଦିବ୍ୟାଙ୍ଗ ଶାଖା ସଭାପତି ଓମ ପ୍ରକାଶ କହିଛନ୍ତି, ରାମ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଅନୁକୂଳ ବ୍ୟବସ୍ଥା ରହିବ।