ନୂଆଦିଲ୍ଲୀ: ପୃଥିବୀର ଜନସଂଖ୍ୟା ଏବେ ୮୦୦ କୋଟିରେ ପହଞ୍ଚିଥିବା ବେଳେ ବର୍ଦ୍ଧିତ ଜନସଂଖ୍ୟା ଆମ ଆଗରେ ଅନେକ ଆହ୍ବାନ ସୃଷ୍ଟି କରୁଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ଅସମତା, କ୍ଷୁଧା, ଜଳବାୟୁ ସଂକଟ, ଦ୍ରୁତ ସହରୀକରଣ ଓ ବାର୍ଦ୍ଧକ୍ୟ।

Advertisment

ଅସମତା
ସାରା ବିଶ୍ବରେ ବୈଷମ୍ୟ ବଢ଼ିବଢ଼ି ଚାଲିଛି। ପୃଥିବୀର ଅଧା ଲୋକ ଗରିବ ହୋଇଥିବା ବେଳେ ମାତ୍ର ୧୦ ପ୍ରତିଶତ ଲୋକଙ୍କ ସମ୍ପତ୍ତି ଏ ଗରିବଙ୍କ ମୋଟ ସମ୍ପତ୍ତିର ୧୯୦ ଗୁଣ। ୧୦ ପ୍ରତିଶତ ଧନିକଙ୍କ ପାଖରେ ୭୬ ପ୍ରତିଶତ ସମ୍ପତ୍ତି ଥିବା ବେଳେ ସେମାନେ ମୋଟ ଆୟର ୫୨ ପ୍ରତିଶତ ନେଇଯାଉଛନ୍ତି। ୫୦ ପ୍ରତିଶତ ଗରିବ ପାଉଛନ୍ତି ମାତ୍ର ୮.୫ ପ୍ରତିଶତ। ବିଶ୍ବ ଅଙ୍ଗାରକ-ନିର୍ଗମନକୁ ୧୦ ପ୍ରତିଶତ ଧନିକଙ୍କ ଅବଦାନ ୪୮ ପ୍ରତିଶତ, ଯାହାର ପ୍ରତିଫଳ ଗରିବଙ୍କୁ ବି ଭୋଗ କରିବାକୁ ପଡ଼ୁଛି। ଉତ୍ତର ଆମେରିକାରେ ଲୋକଙ୍କ ହାରାହାରି ଆୟ ଆଫ୍ରିକାର ଜନସାଧାରଣଙ୍କଠାରୁ ୧୬ ଗୁଣ ଅଧିକ। ୭୧ ପ୍ରତିଶତ ଲୋକ ବାସ କରୁଥିବା ଦେଶଗୁଡ଼ିକରେ ଅସମତା ଦ୍ରୁତଗତିରେ ବୃଦ୍ଧି ପାଇଚାଲିଛି। ଅଧିକାଂଶ ବିକଶିତ ଓ ଭାରତ ସମେତ କେତେକ ମଧ୍ୟମ-ଆୟକାରୀ ଦେଶରେ ଆୟ ବ୍ୟବଧାନ ବଢ଼ିବଢ଼ି ଚାଲିଛି। ଗରିବ ଦେଶ ଅପେକ୍ଷା ଧନୀ ଦେଶଙ୍କ ହାରାହାରି ଆୟୁ ପ୍ରାୟ ୩୦ ବର୍ଷ ଅଧିକା।

କ୍ଷୁଧା
୮୦୦ କୋଟିର ପୃଥିବୀରେ ବର୍ତ୍ତମାନ ପ୍ରାୟ ୮୨୮ ନିୟୁତ ଲୋକ ପେଟକୁ ଦୁଇବେଳା ଦୁଇମୁଠା ଖାଇବାକୁ ପାଉନାହାନ୍ତି। ୟୁକ୍ରେନ୍ ଯୁଦ୍ଧ ଖାଦ୍ୟ ଓ ଶକ୍ତି ସଂକଟକୁ ଆହୁରି ବଢ଼ାଇଦେଇଛି। ବିକାଶଶୀଳ ଦେଶଗୁଡ଼ିକ ଏହାଦ୍ବାରା ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି। ୧୪ ନିୟୁତ ପିଲା ଗୁରୁତର ଅପପୁଷ୍ଟିର ଶିକାର। କ୍ଷୁଧା ଓ ତଜ୍ଜନିତ ରୋଗରେ ୪୫ ପ୍ରତିଶତ ପିଲା ମୃତ୍ୟୁବରଣ କରୁଛନ୍ତି। ୨୦୧୯ରୁ ୨୦୨୨ ମଧ୍ୟରେ ପୁଷ୍ଟିହୀନ ପିଲାଙ୍କ ସଂଖ୍ୟା ୧୫୦ ନିୟୁତ ବୃଦ୍ଧି ପାଇଛି। ଦାରିଦ୍ର୍ୟ ସହ କ୍ଷୁଧାର ସମ୍ପର୍କ ରହିଛି। ୨୦୨୧ର ହିସାବ ଅନୁସାରେ ୬୯୮ ନିୟୁତ ବା ପୃଥିବୀର ୯ ପ୍ରତିଶତ ଲୋକ ଅତିଶୟ ଦାରିଦ୍ର୍ୟ ଓ କ୍ଷୁଧାରେ ପୀଡ଼ିତ। ତେବେ ବିଡ଼ମ୍ବନାର ବିଷୟ ହେଲା ଏହି ଭୋକିଲାମାନଙ୍କୁ ଖୁଆଇବା ପାଇଁ ବିଶ୍ବରେ ଖାଦ୍ୟର ଅଭାବ ନାହିଁ। କିନ୍ତୁ ଖାଦ୍ୟର ବହୁଳାଂଶ ନଷ୍ଟ ହେଉଛି।

ଜଳବାୟୁ ସଂକଟ
ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ କ୍ଷୟ ଓ ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧି ହେଉଛି ଏବଂ ପରିବେଶ ନଷ୍ଟ ହେଉଛି। ଏହାଫଳରେ ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନ ଘଟୁଛି। ଜଳବାୟୁ ପରିବର୍ତ୍ତନ ଫଳରେ ଅଧିକ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି। ଜଳସଂକଟ ବଢ଼ୁଛି। ପ୍ରାକୃତିକ ବିପର୍ଯ୍ୟୟ ଜନିତ କାରଣରୁ ଦୈନିକ ହାରାହାରି ୧୧୫ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ୨୦୨ ଡଲାରର କ୍ଷତି ହେଉଛି।

ଦ୍ରୁତ ସହରୀକରଣ
ସହରୀକରଣ ବୃଦ୍ଧି ମଧ୍ୟ ଆମ ସ୍ବାସ୍ଥ୍ୟ ସମସ୍ୟା ବଢ଼ାଉଛି। ବିଶ୍ବର ୫୬ ପ୍ରତିଶତ ଲୋକ ବର୍ତ୍ତମାନ ସହରଗୁଡ଼ିକରେ ବାସ କରୁଛନ୍ତି। ସହରଗୁଡ଼ିକରେ ପ୍ରଦୂଷଣ ବଢ଼ୁଛି, ଟ୍ରାଫିକ୍ ଜାମ୍ ହେଉଛି, ପାନୀୟ ଜଳସଂକଟ ଦେଖାଯାଉଛି। ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ସହର ସମ୍ପ୍ରସାରିତ ହେବା ଫଳରେ ଚାଷଜମି ପରିମାଣ ହ୍ରାସ ପାଉଛି।

ବାର୍ଦ୍ଧକ୍ୟ
ସ୍ବାସ୍ଥ୍ୟସେବାରେ ଉନ୍ନତି ଫଳରେ ଲୋକଙ୍କ ପରମାୟୁ ବୃଦ୍ଧି ପାଉଛି। ୬୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମୃତ୍ୟୁହାର ହ୍ରାସ ପାଇବା ବି ଜନସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ।
ଏଣୁ ଜନସଂଖ୍ୟା ବୃଦ୍ଧିକୁ ରୋକିବା ସହ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା ବର୍ତ୍ତମାନର ଆହ୍ବାନ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି।