ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କ ଇସ୍ତଫା ଗ୍ରହଣ କରିବା ସହ ତାଙ୍କ ସ୍ଥାନରେ ରମେଶ ବୈଶ୍ୟଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ମନ୍ତବ୍ୟକୁ ନେଇ ବିବାଦୀୟ ହୋଇପଡ଼ିବା ପରେ କୋଶ୍ୟାରି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଗତ ଜାନୁଆରି ମାସରେ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଲେଖାପଢ଼ାରେ ସମୟ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରାଷ୍ଟ୍ରପତି ମଧ୍ୟ ଲଦାଖର ଉପରାଜ୍ୟପାଳ ରାଧାକୃଷ୍ଣନ୍ ମାଥୁରଙ୍କ ଇସ୍ତଫା ମଧ୍ୟ ଗ୍ରହଣ କରିଛନ୍ତି ଏବଂ ସେଠାରେ ଜଣେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ବିହାର, ଆସାମ, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଗଡ଼ ସମେତ ୧୨ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ରବିବାର ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି।
ଅବଦୁଲ ନାଜିରଙ୍କ ନିଯୁକ୍ତିକୁ କଂଗ୍ରେସର କଡ଼ା ବିରୋଧ
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସୟଦ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବାରୁ କଂଗ୍ରେସ ଏହାର କଡ଼ା ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ ବିଚାରପତିଙ୍କ ଅବସର ପରବର୍ତ୍ତୀ ନିଯୁକ୍ତି ନେଇ ଦିବଂଗତ ବିଜେପି ନେତା ଅରୁଣ ଜେଟ୍ଲିଙ୍କ ଏକ ବୟାନକୁ ଟ୍ବିଟ୍ କରି ସରକାରକୁ ଘେରିଛନ୍ତି। ଦେଶରେ ୩-୪ ବର୍ଷ ହେଲା ନ୍ୟାୟପାଳିକାର ସ୍ବାଧୀନତା ବିପନ୍ନ ହୋଇପଡ଼ିଥିବାର ଏହା ପ୍ରମାଣ ବୋଲି ସେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ମଧ୍ୟ ନାଜିରଙ୍କ ନିଯୁକ୍ତିକୁ ସମାଲୋଚନା କରିଛନ୍ତି। ଗତ ଜାନୁଆରି ୪ ତାରିଖରେ ସୁପ୍ରିମ୍କୋର୍ଟର ବିଚାରପତି ପଦରୁ ନାଜିର ଅବସର ନେଇଥିଲେ। ଜଷ୍ଟିସ୍ ନାଜିର ସୁପ୍ରିମ୍କୋର୍ଟର ବିଚାରପତି ଥିବା ସମୟରେ ତିନି ତଲାକ, ଅଯୋଧ୍ୟା-ବାବ୍ରି ମସଜିଦ ମାମଲା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଦେଇଛନ୍ତି। ବ୍ୟକ୍ତିଗତ ଗୋପନୀୟତା ଏକ ମୌଳିକ ଅଧିକାର ବୋଲି ମଧ୍ୟ ସେ ତାଙ୍କ ରାୟରେ ଦର୍ଶାଇଥିଲେ। ନ୍ୟାୟପାଳିକାରେ ମହିଳାଙ୍କ ସଂଖ୍ୟା ସମାନୁପାତିକ ଭାବେ ବୃଦ୍ଧି ପାଇବା ଏବଂ ଲିଙ୍ଗଗତ ବିଭେଦ ଦୂର ହେବା ଉଚିତ ବୋଲି ସେ ମତ ଦେଇଥିଲେ।