ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ଗ୍ରେଟର ନଏଡାଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସପ୍ତମ ଭାରତ ଜଳ ସପ୍ତାହର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଜଳ ବିନା ଜୀବନକୁ କଳ୍ପନା କରିବା ଅସମ୍ଭବ। ଭାରତୀୟ ସଭ୍ୟତାରେ ସମସ୍ତ ଜଳ ଉତ୍ସକୁ ପବିତ୍ର ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ହେତୁ ଆମର ନଦୀ ଓ ଜଳଭଣ୍ଡାରର ଅବସ୍ଥା ବିଗିଡିଯାଉଛି, ଗାଁ ପୋଖରୀ ଶୁଖିଯାଉଛି ଏବଂ ଅନେକ ସ୍ଥାନୀୟ ନଦୀ ବିଲୁପ୍ତ ହୋଇଯାଇଛି।
କୃଷି ଏବଂ ଶିଳ୍ପ କ୍ଷେତ୍ରରେ ଜଳ ଅତ୍ୟଧିକ ଶୋଷିତ ହେଉଛି। ପୃଥିବୀରେ ପରିବେଶ ସନ୍ତୁଳନରେ ସମସ୍ୟା ଦେଖା ଦେଉଛି, ପାଣିପାଗରେ ପରିବର୍ତ୍ତନ ହେଉଛି ଏବଂ ଅସମୟରେ ଅତ୍ୟଧିକ ବର୍ଷା ସମସ୍ୟା ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ଜଳ ପରିଚାଳନା ବିଷୟରେ ଆଲୋଚନା କରିବା ଏକ ପ୍ରଶଂସନୀୟ ପଦକ୍ଷେପ। ରାଷ୍ଟ୍ରପତି କହିଛନ୍ତି ଯେ, ଜଳ ପ୍ରସଙ୍ଗ କେବଳ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସମସ୍ୟା ଜାତୀୟ ସୁରକ୍ଷା ସହିତ ମଧ୍ୟ ଜଡିତ କାରଣ ବିପୁଳ ପରିମାଣର ମଧୁର ଜଳ ଦୁଇ କିମ୍ବା ଅଧିକ ଦେଶ ମଧ୍ୟରେ ପ୍ରବାହିତ ହେଉଛି। ତେଣୁ ଏହି ମିଳିତ ଜଳ ଉତ୍ସ ହେଉଛି ଏକ ପ୍ରସଙ୍ଗ ଯେଉଁଥିରେ ଅନ୍ତର୍ଜାତୀୟ ସହଯୋଗ ଆବଶ୍ୟକ। ସେ ଡେନମାର୍କ, ଫିନଲ୍ୟାଣ୍ଡ, ଜର୍ମାନୀ, ଇସ୍ରାଏଲ ଏବଂ ୟୁରୋପୀୟ ସଂଘ ସପ୍ତମ ଭାରତ ଜଳ ସପ୍ତାହରେ ଅଂଶଗ୍ରହଣ କରୁଥିବା ବିଷୟ ଜାଣି ଖୁସି ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ କୃଷି ପାଇଁ ଜଳ ମଧ୍ୟ ଏକ ପ୍ରମୁଖ ଉତ୍ସ। ଆମ ଦେଶରେ ପ୍ରାୟ ୮୦ ପ୍ରତିଶତ ଜଳ ଉତ୍ସ କୃଷି ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ତେଣୁ ଜଳର ଉପଯୁକ୍ତ ବ୍ୟବହାର ଓ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ‘ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା’ ଏହି କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ। ଦେଶରେ ଜଳସେଚିତ ଅଞ୍ଚଳକୁ ବୃଦ୍ଧି କରିବା ପାଇଁ ଏହି ଦେଶବ୍ୟାପୀ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/36-1.jpg)