ସଭାପତି ନିର୍ବାଚନ ପରେ ପୁଣି ଚର୍ଚ୍ଚାରେ ଥରୁର: ଗୁଜରାଟ ପାଇଁ ତାରକା ପ୍ରଚାରକ ତାଲିକାରେ ନାହାନ୍ତି

କେରଳ କଂଗ୍ରେସରେ ଫାଟ

ନୂଆଦିଲ୍ଲୀ: ଗତମାସରେ ଅନୁଷ୍ଠିତ କଂଗ୍ରେସ ସଭାପତି ନିର୍ବାଚନରେ ବରିଷ୍ଠ ନେତା ଶଶୀ ଥରୁର ପରାଜିତ ହୋଇଥିଲେ। ସଭାପତି ନିର୍ବାଚନ ବେଳେ ସେ ହାରିଥିଲେ ମଧ୍ୟ ଦଳରେ ପରିବର୍ତ୍ତନ ସ୍ଲୋଗାନ ଦେଇଥିବା ଥରୁର ଚର୍ଚ୍ଚାକୁ ଆସିଥିଲେ। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଥରୁର ଆଉ ସେତେଟା ଚର୍ଚ୍ଚାରେ ନଥିଲେ। କିନ୍ତୁ ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପୁଣିଥରେ ସେ ଆଲୋଚନା ପରିସରକୁ ଆସିଛନ୍ତି।
ହିମାଚଳ ପ୍ରଦେଶ ସହିତ ଗୁଜରାଟର ତାରକା ପ୍ରଚାରକ ତାଲିକାରେ ତାଙ୍କୁ ସାମିଲ କରାଯାଇନାହିଁ। ଏହାକୁ କଂଗ୍ରେସର ଅନେକ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରଥମ ତାରକା ପ୍ରଚାର ତାଲିକା ପରେ ଗତ ଶନିବାର ଘୋଷଣା ହୋଇଥିବା ଦ୍ବିତୀୟ ତାରକା ପ୍ରଚାରକ ତାଲିକାରୁ ବି ସେ ବାଦ୍‌ ପଡ଼ିଛନ୍ତି। ଏହାକୁ ନେଇ କେରଳ କଂଗ୍ରେସରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଦଳର ଏକ ବଡ଼ ଗୋଷ୍ଠୀ ଥରୁରଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିଛନ୍ତି।

ଥରୁରଙ୍କ ସହ ଭଲ ସଂପର୍କ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦଳର ଏସବୁ କାର୍ଯ୍ୟରେ ‌ଥରୁର ଖୁସିନାହାନ୍ତି। ତାଙ୍କୁ ମଧ୍ୟ ସମ୍ମାନ ମିଳିବା ଆବଶ୍ୟକ। ଗାଣତାନ୍ତ୍ରିକ ଉପାୟରେ ନିର୍ବାଚନ ଲଢ଼ିଥିବା ଜଣେ ନେତାଙ୍କୁ କୋଣଠେସା କରାଯାଇ ପାରିବ ନାହିଁ। ଦଳ ପାଇଁ ମଧ୍ୟ ଏହା ଭଲନୁହେଁ। ଏହା କରିବା ଦ୍ବାରା ଶୀର୍ଷ ନେତାମାନେ ଦଳକୁ ଦୁର୍ବଳ କରୁଛନ୍ତି। ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି। ତେବେ ଏଆଇସିସିର ସାଧାରଣ ସଂପାଦକ ତାରିକ ଅନୱାର କହିଛନ୍ତି, କାହାକୁ ତାରକା ପ୍ରଚାରକ କରାଯିବ ସେ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ କଂଗ୍ରେସ ସଭାପତି ନେବାର ଅଧିକାର ରହିଛି। କାହାକୁ ସାମିଲ କରିବା ଲାଗି ଆମେ ସଭାପତିଙ୍କୁ ବାଧ୍ୟ କରିପାରିବୁ ନାହିଁ ବୋଲି ସେ କହିଛନ୍ତି। ଦଳକୁ ମଜଭୁତ କରିବା ପାଇଁ ସଭାପତି ନିର୍ବାଚନ ହୋଇଥିଲା। ଥରୁରଙ୍କୁ କୋଣଠେସା କରିବା ଦ୍ବାରା ତାଙ୍କୁ ସମର୍ଥନ କରିଥିବା ନେତାମାନଙ୍କୁ ମଧ୍ୟ ଅସମ୍ମାନିତ କରାଯାଉଛି ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର