‘୨୦୨୪ରେ କମଳା ହେବେ ଆମେରିକା ରାଷ୍ଟ୍ରପତି’

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ ଆସନ୍ତା ୨୦୨୪ରେ ରାଷ୍ଟ୍ରପତି ହେବେ। ଏଭଳି ଆଶାବ୍ୟକ୍ତ କରିଛନ୍ତି କମଳାଙ୍କ ମାମୁ ଜି ବାଲଚନ୍ଦ୍ରନ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ହରାଇଛନ୍ତି ବୋଲି ଖବର ଶୁଣିବା ପରେ ଏମିତି ମନ୍ତବ୍ୟ ବାଲଚନ୍ଦ୍ରନ ଦେଇଛନ୍ତି। ହାରିସ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ହୋଇ ଉପରାଷ୍ଟ୍ରପତି ଭାବେ ନିର୍ବାଚିନ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ସେ କହିଛନ୍ତି, ଆମେରିକାରେ କୃଷ୍ଣକାୟ ରାଷ୍ଟ୍ରପତି ହୋଇସାରିଛନ୍ତି। ଏବେ ଆମେ ଜଣେ କୃଷ୍ଣକାୟ ଆଫ୍ରିକୀୟ ଆମେରିକୀୟଙ୍କୁ ଉପରାଷ୍ଟ୍ରପତି ଭାବେ ପାଇଲେ। ତେବେ ୨୦୨୪ରେ ମଧ୍ୟ ଜଣେ ଆଫ୍ରୋ ଆମେରିକୀୟ ମହିଳା ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ସେ ଆଉ କେହି ନୁହନ୍ତି କମଳା ବୋଲି ବାଲଚନ୍ଦ୍ରନ ଆଶାବ୍ୟକ୍ତ କରିଛନ୍ତି। ଆମେରିକା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସେ ଆଶ୍ବସ୍ତ ଏବଂ ତାଙ୍କର ଚିନ୍ତା ଦୂର ହୋଇଛି ବୋଲି ମତ ଦେଇଛନ୍ତି। ବାଲଚନ୍ଦ୍ରନ ପୂର୍ବରୁ ମନୋହର ପାରିକର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଷ୍ଟଡିଜ୍‌ର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର