୬୬ ବର୍ଷରେ ପାଦ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୬୬ ବର୍ଷରେ ପାଦ ଦେଇଛନ୍ତି ରାଷ୍ଟପତି ଦ୍ରୌପଦୀ ମୁର୍ମୁ। ଜନ୍ମ ଦିନ ଅବସରରେ ସକାଳୁ ରାଷ୍ଟ୍ରପତି ସ୍ଥାନୀୟ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଦେଶବାସୀଙ୍କ କଲ୍ୟାଣ ଓ ବିକାଶ ପାଇଁ ସେ ପ୍ରାର୍ଥନା କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ। ରାଷ୍ଟ୍ରପତିଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋସିଆଲ୍‌ ମିଡିଆରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ତଥା ତାଙ୍କ ଦୀର୍ଘ ଜୀବନ ଓ ସ୍ବାସ୍ଥ୍ୟ ପାଇଁ କାମନା କରାଯାଇଛି।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ସୁଦେଶ ଧନଖଡ଼ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ସାର୍ବଜନୀନ ଜୀବନର ଯେଗାଦାନକୁ ସ୍ମରଣ କରିବା ସହିତ ତାଙ୍କ ଦୀର୍ଘ ଜୀବନ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଥିବା ଉପରାଷ୍ଟ୍ରପତି ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ରାଷ୍ଟ୍ର ପାଇଁ ତାଙ୍କ ଅନୁକରଣୀୟ ସେବା ଓ ସମର୍ପଣ ସମସ୍ତଙ୍କୁ ପ୍ରେରିତ କରୁଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସପରିବାର ରାଷ୍ଟ୍ରପତି ଭବନ ପରିଦର୍ଶନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେ ମଧ୍ୟ ରାଷ୍ଟ୍ରପତିଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜନ୍ମଦିନ ଅବସରରେ ରାଷ୍ଟ୍ରପତି ପ୍ରେସିଡେଣ୍ଟ୍‌ ଇଷ୍ଟେଟ୍‌ରେ ମିଟି କେଫ୍‌ର ଉଦ୍‌ଘାଟନ କରିଥିଲେ। ଏହା ବ୍ୟତୀତ ରାଷ୍ଟ୍ରପତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ ଶାରୀରିକ ଦିବ୍ୟାଙ୍ଗଜନ ସଂସ୍ଥାନକୁ ଗସ୍ତ କରିଥିଲେ। ସେଠାରେ ରାଷ୍ଟ୍ରପତି କିଛି ସମୟ ଦିବ୍ୟାଙ୍ଗ ଶିଶୁମାନଙ୍କ ସହିତ ବିତାଇଥିଲେ। ଦିବ୍ୟାଙ୍ଗ ଶିଶୁ ଓ ବିଦ୍ୟାର୍ଥୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସେ ଉପଭୋଗ କରିଥିଲେ ପ୍ର‌ତ୍ୟେକ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଓ ମେଧାକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର