ନାକେଦମ ହେଲେଣି କେନ୍ଦ୍ର, ଆର୍‌ବିଆଇ; ନିୟନ୍ତ୍ରଣକୁ ଆସୁନି ଦରଦାମ୍ ସ୍ଥିତି

ନୂଆଦିଲ୍ଲୀ : ସାରା ବିଶ୍ବରେ ଲାଗି ରହିଥିବା ମାନ୍ଦାବସ୍ଥା, ଉଚ୍ଚ ମୁଦ୍ରାସ୍ଫୀତି ସଙ୍କଟ, ପଡ଼ୋଶୀ ଶ୍ରୀଲଙ୍କା ଓ ପାକିସ୍ତାନରେ ଆର୍ଥିକ ସଙ୍କଟ ଏବଂ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭାରତୀୟ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ଦରଦାମ ସ୍ଥିତି ଉପରେ। ପରିସ୍ଥିତିର ମୁକାବିଲା ଲାଗି ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ସରକାରଙ୍କ ଟିକସ ହ୍ରାସ ଓ ରପ୍ତାନି କଟକଣା ଏବଂ ରିଜର୍ଭ ବ୍ୟାଙ୍କର ସୁଧ ବୃଦ୍ଧି ଭଳି ପଦକ୍ଷେପ ସାଧାରଣ ଜନତାକୁ ଆଶ୍ବସ୍ତ କରିପାରିନାହିଁ। ଏବେ ବି ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ବାହାରେ ରହିଛି।

ସୂଚନାଯୋଗ୍ୟ ଯେ ମୁଦ୍ରାସ୍ଫୀତି (ଦରଦ‌ାମ ହାର) ୬%ରେ ସୀମିତ ରଖିବାକୁ ରିଜର୍ଭ ବ୍ୟାଙ୍କ ସୀମା ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହା ସମ୍ଭବ ହୋଇପାରୁ ନାହିଁ। ଲଗାତାର ଛଅ ମାସ ଧରି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ନିର୍ଧାରଣ କରିଥିବା ସୀମା ଉପରେ ରହୁଛି। ଜୁନ୍‌ ମାସରେ ଅଶୋଧିତ ତେଲ ଓ ଖାଇବା ତେଲ ଦାମ୍ କିଛି ମାତ୍ରାରେ ହ୍ରାସ ପାଇବା ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୦୪%ରୁ ୭.୦୧କୁ ଖସିଥଲେ ମଧ୍ୟ ଏହାର ଭଲ ପ୍ରଭାବ ବଜାର ଉପରେ ଦେଖିବାକୁ ମିଳିନାହିଁ। ଜୁନ୍‌ରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୫% ରହିଥିଲା। ଏହି ମାସରେ ପନିପରିବା ଦାମ୍ ୧୭.୩୭% ବୃଦ୍ଧି ପାଇଥିଲା। ଡାଲି ଦାମରେ ମଧ୍ୟ ଆଖିଦୃଶିଆ ହ୍ରାସ ହୋଇନାହିଁ। ଇନ୍ଧନ ଓ ଆଲୋକ ଦାମ୍‌ ୧୦.୩୯% ବୃଦ୍ଧି ପାଇଛି।

ତେବେ ସବୁଠାରୁ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି ପେଟ୍ରୋଲିୟମ ସାମଗ୍ରୀ ଦାମ୍। ପେଟ୍ରୋଲ୍, ଡିଜେଲ୍ ଏବଂ ରନ୍ଧନ ଗ୍ୟାସ (ଏଲପିଜି)ର ଅଧିକ ଦାମ ‌ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ଅସ୍ବାଭାବିକ ତାପମାତ୍ରା ଯୋଗୁଁ ଫସଲ ନଷ୍ଟ ହୋଇଥିବାରୁ ଖାଦ୍ୟ ସାମଗ୍ରୀ ଦାମ୍ ଆକାଶଛୁଆଁ ରହିଛି। ୟୁକ୍ରେନ୍-ରୁଷ୍ ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ବିଭ୍ରାଟ ପାଇଁ ଅନେକ ସାମଗ୍ରୀ ମହଙ୍ଗା ରହିଛି। ସେଗୁଡ଼ିକୁ ଚଢ଼ା ଦରରେ ଆମଦାନି କରାଯାଉଥିବାରୁ ଦେଶ ଭିତରେ ମଧ୍ୟ ସେଗୁଡ଼ିକର ଦାମ୍ ଅଧିକ ରହୁଛି। ‌ଏହାସହିତ ଡାଲି, ଖାଇବା ତେଲ, ଫଳ, ମାଛ, ମାଂସ, ସ୍ନାକ୍ସ, ମିଷ୍ଟାନ୍ନ, ପୋଷାକ, ଜୋତା ଦାମ୍ ଓ ଯାତାୟାତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି।

IndiaTv

କେବଳ ଦରଦାମ୍ ବୃଦ୍ଧି ସମସ୍ୟା ନୁହେଁ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ଲାଗି ରହିଥିବା
ବେଳେ ଭଣ୍ଡାରରେ ଗଚ୍ଛିତ ବିଦେଶୀ ମୁଦ୍ରା ହ୍ରାସ ପାଉଥିବାରୁ ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୯ ଟଙ୍କା ୭୦ ପଇସା ସ୍ତରକୁ ଖସି ଆସିଛି। ଭାରତୀୟ ଷ୍ଟକ୍‌ ବଜାରରେ ମାନ୍ଦାବସ୍ଥା ଯୋଗୁ ନିବେଶକ ଡଲାର ଉଠାଇ ବିଦେଶରେ ନିବେଶ କରୁଛନ୍ତି। ସିଧାସଳଖ ଏହାର ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡ଼ୁଛି।

ଇତିମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦରଦାମ୍ ମୁକାବିଲା ଲାଗି ଯେଉଁ ଲଢ଼େଇ ଆରମ୍ଭ ହୋଇଛି ତାହା ଜାରି ରହିବ। ଏଥର କିନ୍ତୁ ସରକାର ରଣନୀତି ପରିବର୍ତ୍ତନ କରିବେ। ଯେଉଁ ସାମଗ୍ରୀଗୁଡ଼ିକର ଦାମ୍ ଅଧିକ ରହୁଛି ସେଥିରେ ହ୍ରାସ ଆଣିବା ଲାଗି ନିର୍ଦିଷ୍ଟ ଭାବେ ସେହି ସାମଗ୍ରୀ ଲାଗି ପଦକ୍ଷେପ ଘୋଷଣା କରାଯିବ। ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ଦରଦାମ୍ ସ୍ଥିତି ଉପରେ ନଜର ରଖିବେ ବୋଲି ସେ କହିଛନ୍ତି। ସେହିଭଳି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଦରଦାମ୍ ସ୍ଥିତିର ମୁକାବିଲା ବେଳେ ଅଭିବୃଦ୍ଧି ଯେଭଳି ବଜାୟ ରହିବ ‌ସେଥିପ୍ରତି ଆମେ ଯତ୍ନବାନ ଅଛୁ। କଠୋର ପଦକ୍ଷେପ ଯୋଗୁଁ ଯେମିତି ମାନ୍ଦାବସ୍ଥା ନ ଆସୁ ତାହାକୁ ସୁନିଶ୍ଚିତ କରାଯିବ।

ସମ୍ବନ୍ଧିତ ଖବର