ନୂଆଦିଲ୍ଲୀ: ଭାରତ ସ୍ଥିରତା ଓ ପ୍ରଗତିର ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଫିନ୍ଟେକ୍ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ପ୍ଲାଟଫର୍ମ ଇନ୍ଫିନିଟି ଫୋରମ୍ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରି କହିଛନ୍ତି। ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍ଏସ୍ସିଏ) ଏବଂ ଗିଫ୍ଟ ସିଟିର ମିଳିତ ଆନୁକୂଲ୍ୟରେ ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍ - ୨୦୨୪’ର ଅଗ୍ରଦୂତ କାର୍ଯ୍ୟକ୍ରମ ଭାବେ ଦ୍ୱିତୀୟ ଇନ୍ଫିନିଟି ମଂଚ ଆୟୋଜନ କରାଯାଉଛି। ଇନ୍ଫିନିଟି ଫୋରମ୍ର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ରହିଛି ‘ଗିଫ୍ଟ - ଆଇଏଫ୍ଏସ୍ସି : ନର୍ଭ ସେଂଟର ଫର୍ ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍’ (ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର)।
ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଡିସେମ୍ବର ୨୦୨୧ରେ ଇନଫିନିଟି ଫୋରମର ପ୍ରଥମ ସଂସ୍କରଣ ଆୟୋଜନ ସମୟରେ ବିଶ୍ୱ ଅର୍ଥନୈତିକ ସ୍ଥିତିର ଅନିଶ୍ଚିତତା ଯୋଗୁଁ ପ୍ରଭାବିତ ମହାମାରୀ ପ୍ରଭାବିତ ବିଶ୍ୱକୁ ମନେ ପକାଇଥିଲେ। ଚିନ୍ତାଜନକ ସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିନାହିଁ ଏବଂ ଭୂ - ରାଜନୈତିକ ଉତ୍ତେଜନା, ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବୃଦ୍ଧି ପାଉଥିବା ଋଣ ସ୍ତରର ଆହ୍ୱାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସ୍ଥିରତା ଏବଂ ପ୍ରଗତିର ପ୍ରତୀକ ଭାବରେ ଭାରତର ଆବିର୍ଭାବ ଉପରେ ଆଲୋକପାତ କରିଥିଲେ। ‘ଗରବା’କୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ମାନ୍ୟତା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ନୀତି, ସୁଶାସନ ଏବଂ ନାଗରିକଙ୍କ କଲ୍ୟାଣକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଉପରେ ଭାରତର ଅଭିବୃଦ୍ଧି କାହାଣୀ ଆଧାରିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇ ଥିଲେ। ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଭାରତର ଅଭିବୃଦ୍ଧି ହାର ୭.୭ ପ୍ରତିଶତ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଦକ୍ଷିଣ ବିଶ୍ୱର ନେତୃତ୍ୱ ନେବା ପାଇଁ ଭାରତ ଉପଯୁକ୍ତ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଥିବା କଥାକୁ ମଧ୍ୟ ଶ୍ରୀ ମୋଦୀ ସ୍ୱୀକାର କରିଛନ୍ତି। ସମଗ୍ର ବିଶ୍ୱ ଆର୍ଥିକ ଏବଂ ମୁଦ୍ରା ଛାଡ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଦୀର୍ଘମିଆଦୀ ଅଭିବୃଦ୍ଧି ଏବଂ ଅର୍ଥନୈତିକ କ୍ଷମତା ସମ୍ପ୍ରସାରଣ ଉପରେ ଭାରତର ଗୁରୁତ୍ୱକୁ ସେ ଶ୍ରେୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନର ବିରାଟ ଆହ୍ୱାନ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ବିଶ୍ୱର ଅନ୍ୟତମ ବୃହତ୍ତମ ଅର୍ଥନୀତି ଭାବରେ ଭାରତର ଚିନ୍ତା ଉପରେ ଆଲୋକପାତ କରିଥିଲେ। ସେ ନିକଟରେ ଅନୁଷ୍ଠିତ ସିଓପି୨୮ ଶିଖର ସମ୍ମିଳନୀରେ ଭାରତର ପ୍ରତିବଦ୍ଧତା ବିଷୟରେ ସୂଚନା ଦେଇଥିଲେ।
ଅଭିଭାଷଣ ଶେଷ କରି , ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଏହି ଯାତ୍ରାରେ ପୁଞ୍ଜିର ନୂତନ ରୂପ, ଡିଜିଟାଲ ଟେକ୍ନୋଲୋଜି ଏବଂ ନୂତନ ଯୁଗର ଆର୍ଥିକ ସେବାର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଗିଫ୍ଟ ସିଟି ଏହାର ଦକ୍ଷ ନିୟମ, ପ୍ଲଗ୍ ଆଣ୍ଡ ପ୍ଲେ ଭିତ୍ତିଭୂମି, ବୃହତ୍ ଭାରତୀୟ ଆଭ୍ୟନ୍ତରୀଣ ଅର୍ଥନୀତିରେ ପ୍ରବେଶ, ପରିଚାଳନାର ଲାଭଦାୟକ ମୂଲ୍ୟ ଏବଂ ପ୍ରତିଭା ଲାଭ ସହିତ ଅତୁଳନୀୟ ସୁଯୋଗ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।