ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ କଲ୍‌ରେ କହିଛନ୍ତି ଯେ ଗତ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରିବାରେ ଆମେରିକାର କୌଣସି ଭୂମିକା ନାହିଁ ଏବଂ ସେ ସମୟରେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ କୌଣସି ଆଲୋଚନା ହୋଇନାହିଁ। ଜୁନ୍ ୧୮ ତାରିଖରେ କ୍ରୋଏସିଆ ଗସ୍ତ ଥିବା ଦର୍ଶାଇ କାନାଡାରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରୁ ଫେରିବା ବାଟରେ ୱାସିଂଟନ ଡିସି ଗସ୍ତ ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟାଖ୍ୟାନ କରିଥିଲେ।

Advertisment

ମୋଦୀ-ଟ୍ରମ୍ପ ୩୫ ମିନିଟ୍‌ କଥାବାର୍ତ୍ତା
ୱାସିଂଟନ ଗସ୍ତ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ

ଟ୍ରମ୍ପଙ୍କ ଅନୁରୋଧକ୍ରମେ ହୋଇଥିବା ୩୫ ମିନିଟ୍‌ର ଆଲୋଚନା ଉପରେ ଆଲୋକପାତ କରି ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ସମଗ୍ର ଘଟଣାକ୍ରମରେ କୌଣସି ସମୟରେ ଏବଂ କୌଣସି ସ୍ତରରେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି କିମ୍ବା ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତା ବିଷୟରେ କୌଣସି ଆଲୋଚନା ହୋଇନାହିଁ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିନାହିଁ କି କରିବ ନାହିଁ ବୋଲି ମୋଦୀ ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।  ମେ ୭ ତାରିଖରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା ଥିଲା ଏବଂ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକର କିଛି ଘଣ୍ଟା ପୂର୍ବରୁ ଏହା ଘଟିଛି।  ମୋଦୀଙ୍କ ସହ ଆଲୋଚନା ପରେ ବି ଆଜି ଟ୍ରମ୍ପ ପୁଣି ଅସ୍ତ୍ରବିରତିର ଶ୍ରେୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋର ମଧ୍ୟସ୍ଥତାରେ ହିଁ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ।