ଦିନିକିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ଭାରତ-ନେପାଳ ସମ୍ପର୍କ ହିମାଳୟ ପରି ଦୃଢ଼

ମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା, ଦ୍ବିପାକ୍ଷିକ କଥାବାର୍ତ୍ତା, ୬ ଏମ୍‌ଓୟୁ ସ୍ବାକ୍ଷ

ଲୁମ୍ବିନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ନେପାଳ ଗସ୍ତ କରିଛନ୍ତି। ୨୦୧୪ ପରେ ଏହା ମୋଦୀଙ୍କ ପଞ୍ଚମ ଏବଂ ଦୁଇ ଦେଶ ମଧ୍ୟରେ ମାନଚିତ୍ର ବିବାଦ ପରେ ପ୍ରଥମ ନେପାଳ ଗସ୍ତ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ‌ଶେର ବାହାଦୁର ଦେଉବାଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ନେପାଳ ଗସ୍ତ କରିଛନ୍ତି। କୁଶୀନଗରରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ମୋଦୀ ଆଜି ସକାଳେ ଲୁମ୍ବିନୀରେ ପହଞ୍ଚିଥିଲେ। ସେଠାରେ ନେପାଳ ପ୍ରଧାନମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ତଥା ଐତିହାସିକ ମାୟା ଦେବୀ ମନ୍ଦିର ପରିଦର୍ଶନ ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ। ମୋଦୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ଦେଉବା ଏବଂ ତାଙ୍କ ପତ୍ନୀ ଡ ଅର୍ଜୁ ରାଣା ଉପସ୍ଥିତ ଥିଲେ। ବୌଦ୍ଧ ଧର୍ମର ରୀତି ଅନୁଯାୟୀ ପୂଜା କାର୍ଯ୍ୟ ହୋଇଥିଲା। ପୂଜା ଶେଷ କରିବାପରେ ବୋଧି ଗଛରେ ୨ ନେତା ପାଣି ଦେଇଥିଲେ। ୨୦୧୪ରେ ମୋଦୀ ଏହି ଗଛ ଲୁମ୍ବିନୀକୁ ଉପହାର ଭାବେ ଦେଇଥିଲେ। ଏହାପରେ ମୋଦୀ ଲୁମ୍ବିନୀରେ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୋଦୀ କହିଛନ୍ତି, ବୁଦ୍ଧଙ୍କ ଜନ୍ମସ୍ଥାନର ଶକ୍ତି ଭିନ୍ନ ଅନୁଭୂତି ପ୍ରଦାନ କରୁଛି।

ଲୁମ୍ବିନୀଠାରେ ଭାରତ ଅନ୍ତର୍ଜାତୀୟ ବୌଦ୍ଧ ସାଂସ୍କୃତିକ ଓ ଐତିହ୍ୟା କେନ୍ଦ୍ରର ଶିଳାନ୍ୟାସ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। କଥାବାର୍ତ୍ତା ସମୟରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ଦିଗରେ ଗୁରୁତ୍ବାରୋପ କରିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ୬ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ମୋଦୀ କହିଛନ୍ତି, ବିଶ୍ବରେ ଏବେ ଲାଗି ରହିଥିବା ସ୍ଥିତି ମଧ୍ୟରେ ଭାରତ ଏବଂ ନେପାଳ ସମ୍ପର୍କ ସମଗ୍ର ମାନବ ଜାତିର ଉପକାର କରିବ। ବୁଦ୍ଧଙ୍କଠାରେ ଉଭୟ ରାଷ୍ଟ୍ରର ଭକ୍ତି ଏବଂ ବିଶ୍ବାସ ଦୁଇ ରାଷ୍ଟ୍ରକୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖିଛି ଏବଂ ଆମକୁ ଗୋଟିଏ ପରିବାରର ସଦସ୍ୟ କରି ରଖିଛି। କାଠମାଣ୍ଡୁରେ ବୁଦ୍ଧ ପୂର୍ଣ୍ଣିମା ଉତ୍ସବରେ ଉଦ୍‌ବୋଧନ ଦେଇ ମୋଦୀ ଏହା କହିଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ମୋଦୀ ତାଙ୍କ ଭାଷଣରେ ଶ୍ରୀରାମଙ୍କ କଥା ଉଠାଇଛନ୍ତି। ନେପାଳ ବିନା ପ୍ରଭୁ ଶ୍ରୀରାମ ଅସମ୍ପୂର୍ଣ୍ଣ। ଜନକପୁର ସୀତାଙ୍କ ଜନ୍ମସ୍ଥାନ ହୋଇଥିବାରୁ ମୋଦୀ ଏହା କହିଛନ୍ତି। ଭାରତରେ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ନେପାଳବାସୀ ଖୁସି। ଭାରତ ଓ ନେପାଳ ସମ୍ପର୍କ ବହୁତ ପୁରୁଣା ଏବଂ ହିମାଳୟ ପରି ମଜଭୁତ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର