ବିଶାଖାପାଟଣାରେ ୧ଠ,୫ଠଠ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ବିଶାଖାପାଟଣା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ୧ଠ,୫ଠଠ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଶାଖପାଟଣା ରେଳ ଷ୍ଟେସନର ପୁନର୍ବିନ୍ୟାସ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଶାଖପାଟଣା ମାଛଧରା ବନ୍ଦର ଆଧୁନିକୀକରଣର ଆଧାରଶିଳା ସ୍ଥାପନ କରିଥିଲେ। ସେ ମଧ୍ୟ ଛଅ ଲେନ ବିଶିଷ୍ଟ ରାୟପୁର-ବିଶାଖପାଟଣା ଆର୍ଥିକ କରିଡରର ଶିଳାନ୍ୟାସ କରିଥିଲେ। ସେ ଏଥି ସହ ଆହୁରି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅଥବା ଉଦ୍‌ଘାଟନ କରିଥିଲେ।

ବାଣିଜ୍ୟ ଓ ବ୍ୟବସାୟର ସମୃଦ୍ଧ ପରମ୍ପରା ନେଇ ବିଶାଖାପାଟଣା ଏକ ସ୍ୱତନ୍ତ୍ର ନଗରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରାଚୀନ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଭାବେ ଏହାର ବାଣିଜ୍ୟ ପଥ ପଶ୍ଚିମ ଏସିଆ ଓ ରୋମ ପର୍ଯ୍ୟନ୍ତ ହଜାର ହଜାର ବର୍ଷ ପୂର୍ବରୁ ରହିଥିଲା ଓ ଏବେ ମଧ୍ୟ ଆଜିକାଲିର ଭାରତୀୟ ବାଣିଜ୍ୟ ଯାତ୍ରାର କେନ୍ଦ୍ରବିନ୍ଦୁ ରହିଛି। ୧ଠ,୫ଠଠ କୋଟି ଟଙ୍କାର ଯେଉଁସବୁ ଶିଳାନ୍ୟାସ ଓ ଉଦ୍‌ଘାଟନ ହେଉଛି ଏହା ଭିତ୍ତିଭୂମି ବିକାଶ, ସହଜ ଜୀବନଧାରା ଓ ଆତ୍ମନିର୍ଭର ଭାରତକୁ ନୂତନ ଗତି ଦେବା ସହ ବିଶାଖାପାଟଣା ଓ ଆନ୍ଧ୍ରପ୍ରଦେଶବାସୀଙ୍କ ଆଶା-ଆକାଂକ୍ଷା ପୂରଣର ମାଧ୍ୟମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ଆଧୁନିକ ପ୍ରଯୁକ୍ତି ଜରିଆରେ ଗଭୀର ଜଳରୁ ଶକ୍ତି ଆହରଣର ଉଦାହରଣ ଦେଇଥିଲେ। ପ୍ରଥମ ଥର ପାଇଁ ନୀଳ ଅର୍ଥନୀତିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଓ ବିଶାଖପାଟଣା ମାଛଧରା ବଂଦରର ବିକାଶ, ଯାହା ଆଜିଠାରୁ ଆରମ୍ଭ ହୋଇଛି ସେ ସବୁ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଦେଶର ବିକାଶ ଯାତ୍ରାରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ଆର ଜଗନ ରେଡ୍ଡୀ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର