ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅଯୋଧ୍ୟାରେ ରାମ ମନ୍ଦିରକୁ ସମର୍ପିତ ସ୍ମାରକୀ ଡାକଟିକଟର ଏକ ସିରିଜ୍ ଏବଂ ଏକ ୪୮ ପୃଷ୍ଠାର ପୁସ୍ତିକା ଉନ୍ମୋଚନ କରିଛନ୍ତି। ପୁସ୍ତିକାଟି ହେଉଛି ଭଗବାନ ଶ୍ରୀରାମଙ୍କୁ ସମ୍ମାନ ଜଣାଇ ସାରା ବିଶ୍ୱରେ ପ୍ରଚଳିତ ଥିବା ଡାକଟିକଟ ବା ଷ୍ଟାମ୍ପଗୁଡ଼ିକର ଏକ ସଂକଳନ। ଏହି ଟିକଟଗୁଡ଼ିକର ଜଟିଳ ଡିଜାଇନରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ସହ ସମ୍ବନ୍ଧିତ ୬ଟି ଭିନ୍ନ ଭିନ୍ନ ଉପାଦାନ ରଖାଯାଇଛି। ଏଗୁଡ଼ିକ ମଧ୍ୟରେ ରହିଛି ରାମମନ୍ଦିର, କାଳଜୟୀ ଚୌପାଇ ‘ମଙ୍ଗଲଭୱନ ଅମଙ୍ଗଲହାରୀ’, ସୂର୍ଯ୍ୟ, ପବିତ୍ର ସରଯୁ ନଦୀ ଏବଂ ମନ୍ଦିର ଓ ଏହାର ଆଖପାଖରେ ଥିବା ମୂର୍ତ୍ତି। ଛଅଟି ଟିକଟ ରାମାୟଣର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ଉପାଦାନଗୁଡ଼ିକର ପ୍ରତିନିଧିତ୍ୱ କରେ। ଏଥିରେ ରାମମନ୍ଦିର, ଭଗବାନ ଗଣେଶ, ଭଗବାନ ହନୁମାନ, ଜଟାୟୁ, କୈବର୍ତ୍ତରାଜ ଏବଂ ମା’ ଶବରୀ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆଜି ରାମମନ୍ଦିର ପ୍ରାଣପ୍ରତିଷ୍ଠା ସମାରୋହ ସହ ଜଡ଼ିତ ଆଉ ଏକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ସୁଯୋଗ ମିଳିଛି। ରାମାୟଣ ଆମକୁ ସବୁ ଆହ୍ୱାନ ସତ୍ତ୍ୱେ ପ୍ରେମର ବିଜୟ ବିଷୟରେ ଶିକ୍ଷା ଦେଇଥାଏ। ଏହା ସମଗ୍ର ମାନବଜାତିକୁ ନିଜ ସହ ଯୋଡ଼ିଥାଏ ଏବଂ ସେଥିପାଇଁ ଏହା ସମଗ୍ର ବିଶ୍ୱରେ ଆକର୍ଷଣ ସୃଷ୍ଟି କରିଛି। ଷ୍ଟାମ୍ପ ଉନ୍ମୋଚନ ସହିତ ୪୮ ପୃଷ୍ଠାର ଏକ ପୁସ୍ତକ ରହିଛି, ଯେଉଁଥିରେ ଭଗବାନ ରାମଙ୍କୁ ନେଇ ଅନ୍ତର୍ଜାତୀୟ ଭାବନା ଉପରେ ଆଲୋକପାତ କରାଯାଇଛି।
ଷ୍ଟେସନରେ ଲାଇଭ୍ ପ୍ରସାରଣ
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଲାଇଭ ପ୍ରସାରଣ ଦେଶର ରେଳ ଷ୍ଟେସନଗୁଡ଼ିକରେ ଦେଖିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ଦେଶର ରେଳ ଷ୍ଟେସନଗୁଡ଼ିକରେ ପ୍ରାୟ ୯୦୦୦ ସ୍କ୍ରିନ ରହିଛି। ତେଣୁ ସେସବୁରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦର୍ଶକମାନେ ଦେଖିବାକୁ ପାଇବେ। ଏଥିସହିତ ଦେଶରେ ରାମଙ୍କ ନାମରେ ୩୪୩ଟି ଷ୍ଟେସନ ରହିଛି। ସେସବୁ ଷ୍ଟେସନଗୁଡ଼ିକୁ ୨୨ ତାରିଖରେ ଆଲୋକମାଳାରେ ଆସନ୍ତା ୨୨ ତାରିଖରେ ସଜ୍ଜିତ କରାଯିବ।