ଲୋକସଭାରେ ଆଲୋଚନାର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ, କୃଷି ଆଇନ ବାଧ୍ୟତାମୂଳକ ନୁହେଁ

ନୂଆ ଆଇନ ପାଇଁ ଏମ୍‌ଏସ୍‌ପି କ୍ରୟ ବଢ଼ିଛି, ଚାଷୀ ଆନ୍ଦୋଳନକୁ ଅପବିତ୍ର କରାଯାଉଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଭାଗନେଇ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନ ଦେଶ ସ୍ବାର୍ଥରେ ଏକ ବହୁତ ବଡ଼ ପଦକ୍ଷେପ ଏବଂ ଏହି ଆଇନ ଆସିବା ପରେ ଏମ୍‌ଏସ୍‌ପି କ୍ରୟ ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମହାମାରୀ ସମୟ ଭିତରେ ତିନି ନୂଆ କୃଷି ଆଇନ ଆସିଥିଲା ଏବଂ ଦେଶର କୃଷି ସଂସ୍କାର ପାଇଁ ଏହା ଆବଶ୍ୟକ ଥିଲା । ଏହି ଆଇନ କୌଣସି ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଏବଂ ପୂର୍ବର ସବୁ ବ୍ୟବସ୍ଥା କାଏମ ରହିଛି ବୋଲି ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଆଇନର ପ୍ରାବଧାନ ଉପରେ ଚର୍ଚ୍ଚା ନ କରି ବିରୋଧୀ ଦଳମାନେ କେବଳ ଏହାକୁ ନେଇ ବିଭ୍ରାନ୍ତିକର ମତ ରଖୁଛନ୍ତି। ନୂଆ ଆଇନ ଉପରେ ସଠିକ୍‌ ଢଙ୍ଗରେ ଚର୍ଚ୍ଚା ହେଲେ ହିଁ ଏହା କେତେ ଉପଯୋଗୀ ତାହା ଚାଷୀମାନେ ଜାଣିପାରିବେ ବୋଲି ସେ କହିଛନ୍ତି।

 ‘ଆନ୍ଦୋଳନକାରୀ’ ଏବଂ ‘ଆନ୍ଦୋଳନଜୀବୀ’ଙ୍କ ମଧ୍ୟରେ ଫରକ୍‌ ବୁଝିବାକୁ ହେବ

ବିରୋଧୀ ଦଳଗୁଡ଼ିକ ଆଜି ଲୋକସଭାରେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ହଙ୍ଗାମା କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ମଝିରେ କଂଗ୍ରେସ-ଟିଏମ୍‌ସି ସାଂସଦ କକ୍ଷତ୍ୟାଗ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆନ୍ଦୋଳନ କରୁଥିବା ସମସ୍ତ ଚାଷୀ ଭାଇମାନଙ୍କୁ ସଂସଦ ଏବଂ ସରକାର ସମ୍ମାନ କରୁଛନ୍ତି ଏବଂ ସେମାନଙ୍କ ପ୍ରତ୍ୟେକଟି ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ କାମ କରିବାକୁ ପ୍ରତିବଦ୍ଧ ଅଛନ୍ତି। ଯଦି ନୂଆ କୃଷି ଆଇନରେ କୌଣସି ପରିବର୍ତ୍ତନ ଆବଶ୍ୟକ ହୁଏ ତା’ହେଲେ କରାଯିବ ଏବଂ ଏହି ଆଇନ କାହା ପାଇଁ ବନ୍ଧନ ଭଳି ହେବନାହିଁ। ଯେଉଁଠି ବିକଳ୍ପ ଅଛି ସେଠି ବିରୋଧର ଆବଶ୍ୟକ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଆଇନ ପାଇଁ ଦେଶରେ କେଉଁଠି ବି ମଣ୍ଡି ବନ୍ଦ ହୋଇନାହିଁ ଏବଂ ଏମ୍‌ଏସ୍‌ପି ମଧ୍ୟ ଯଥାରୀତି ରହିଛି ଏବଂ ଏମ୍‌ଏସ୍‌ପିରେ କ୍ରୟ ପରିମାଣ ବଢ଼ିଛି ବୋଲି ସେ କହିଛନ୍ତି।

କଂଗ୍ରେସକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଦଳର ଆଭିମୁଖ୍ୟ ସର୍ବଦା ଦ୍ବନ୍ଦ ଓ ବିଭ୍ରାନ୍ତି ଦେଇ ଗତି କରୁଛି ଏବଂ ଏହି ଦଳ ଲୋକସଭାରେ ଗୋଟିଏ ନିଷ୍ପତ୍ତି ନେଉଥିବା ବେଳେ ରାଜ୍ୟସଭାରେ ଭିନ୍ନ ନିଷ୍ପତ୍ତି ନେଉଛି। କଂଗ୍ରେସ ଏଭଳି ଦ୍ବନ୍ଦ୍ବରେ ଥିବା ଦଳ ଯିଏ ନିଜର ଭଲ କରିପାରିବ ନାହିଁ କି ଦେଶର ସମସ୍ୟା ସମାଧାନ ଦିଗରେ ଚିନ୍ତା କରିପାରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଏକ ନୂଆ ତର୍କ ସାମ୍ନାକୁ ଆସିଛି, ତାହା ହେଲା ଆମେ ନ ଚାହିଁଲେ ବି ଆମକୁ କାହିଁକି ଦିଆଯାଉଛି। ଯୌତୁକ ହେଉ କି ତିନି ତଲାକ୍‌, କେହି ମଧ୍ୟ ଏଥିପ୍ରତି ଆଇନ ଆଣିବାକୁ ଦାବି କରିନଥିଲେ। କିନ୍ତୁ ପ୍ରଗତିଶୀଳ ସମାଜ ପାଇଁ ଏହା ଆବଶ୍ୟକ ହେବାରୁ ଆଇନ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀ ଆନ୍ଦୋଳନକାରୀ ଏବଂ ଆନ୍ଦୋଳନଜୀବୀଙ୍କ ମଧ୍ୟରେ ଥିବା ଫରକ୍‌ ବୁଝିବାକୁ ହେବ । ଚାଷୀ ଆନ୍ଦୋଳନରେ ଆତଙ୍କବାଦୀ ଏବଂ ନକ୍ସଲପନ୍ଥୀଙ୍କ ମୁକ୍ତି ପାଇଁ କାହିଁକି ଦାବି କରାଯାଉଛି ସେ ସଂପର୍କରେ ମୁଁ ପ୍ରଶ୍ନ କରିବାକୁ ଚାହୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବଜେଟ୍‌ ଅଧିବେଶନରେ ରାଷ୍ଟ୍ରପତିଙ୍କ ଭାଷଣ ଭାରତର ‘ସଂକଳ୍ପ ଶକ୍ତି’କୁ ପ୍ରତିଫଳିତ କରିଛି ଏବଂ ଦେଶବାସୀଙ୍କ ବିଶ୍ବାସର ଶକ୍ତିକୁ ବଢ଼ାଇଛି ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଥିଛନ୍ତି ଯେ ଭାରତ ଯେଭଳି ଭାବେ କୋଭିଡ ମହାମାରୀର ମୁକାବିଲା କରିଛି ଏବଂ ଅନ୍ୟ ରାଷ୍ଟ୍ରମାନଙ୍କୁ ସହାୟତା କରିଛି ତାହା ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର