୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। କେରଳ, କର୍ଣ୍ଣାଟକ, ଆସାମ, ବିହାର, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ କେରଳ, ଆସାମ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବାବେଳେ କେବଳ କର୍ଣ୍ଣାଟକର ଗୃହମନ୍ତ୍ରୀ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ମୁକାବିଲା ନେଇ ପ୍ରସ୍ତୁତି ପ୍ରକ୍ରିୟାର ସମୀକ୍ଷା ପ୍ରଧାନମନ୍ତ୍ରୀ କରିଛନ୍ତି। ଜରୁରୀ ସ୍ଥିତି ସମୟରେ କେନ୍ଦ୍ରୀୟ ଉଦ୍ଧାରକାରୀ ଦଳର ଉଦ୍ଧାର କାର୍ଯ୍ୟ ଏବଂ ସଠିକ୍‌ ମୁତୟନକୁ ମୁଖ୍ୟମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି।

ତେବେ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥା ମଧ୍ୟରେ ଉତ୍ତମ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବା ସହ ଗୁରୁତ୍ବପୂର୍ଣ୍ଣ ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହାଦ୍ବାରା ସାଧାରଣ ଜନଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି। କେରଳର ଇଡ଼ୁକ୍କି ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ଏନ୍‌ଡିଆରଏଫ୍‌ ମଧ୍ୟ ବର୍ଷା, ପବନ ଏବଂ ବିଭିନ୍ନ କଷ୍ଟକର ପରିସ୍ଥିତିକୁ ଖାତିର ନକରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆଇଏମ୍‌ଡି ପକ୍ଷରୁ ଆଲାପ୍ପୁଝା, ଏର୍ନାକୁଲମ୍‌, କୋଟ୍ଟାୟମ୍‌, ଇଡ଼ୁକ୍କି, କୋଝିକୋଡ୍‌, ୱାୟନାଡ଼ , କନ୍ନୁର ଏବଂ କସରଗଡ଼ ଜିଲ୍ଲାରେ ଅରେଂଜ ଆଲର୍ଟ୍‌ ଜାରି ହୋଇଛି। କର୍ଣ୍ଣାଟକ, ଆସାମ ଏବଂ ବିହାରରେ ମଧ୍ୟ ବନ୍ୟା ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଆଗୁଆ ସତର୍କତା ଜାରି କରିବା ପାଇଁ ଅତ୍ୟନ୍ତ ନୂତନ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ମୋଦୀ ଆଜିର ବୈଠକରେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର