ବି‌ରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ପ୍ରହାର‌: ଭୋଟର ଯାହା କରିପାରିଲେନି, ଇଡି କରିଦେଲା

୨୦୦୪ରୁ ୨୦୧୪ ସର୍ବାଧିକ ଦୁର୍ନୀତିର ଦଶନ୍ଧି, ଭାରତର ସଫଳତାରେ କିଛି ଲୋକଙ୍କୁ ନିରାଶା ଘାରିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି। ରାହୁଲ ଗାନ୍ଧି ଗତକାଲି ମୋଦୀ ସରକାର ବିରୋଧରେ ଗର୍ଜିଥିବା ବେଳେ ମୋଦୀ ଆଜି ଏହାର ଜବାବ ଦେଇ ୧୦ ବର୍ଷର ୟୁପିଏ ଶାସନ ବିରୋଧରେ ବର୍ଷିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ମୋଦୀ କହିଛନ୍ତି, ୨୦୦୪ରୁ ୨୦୧୪ ଥିଲା ଦୁର୍ନୀତି, ହିଂସା ଓ ଆତଙ୍କର ଦଶନ୍ଧି। ସୁଯୋଗକୁ ସଙ୍କଟରେ ପରିଣତ କରିବା ୟୁପିଏର ଟ୍ରେଡମାର୍କ ଥିଲା। ଏବେ ବିରୋଧୀ ଦଳ ନିରାଶାରେ ଏତେ ବୁଡ଼ି ଯାଇଛନ୍ତି ଯେ ସେମାନେ ଦେଶର ପ୍ରଗତି ଦେଖିପାରୁନାହାନ୍ତି। ୨୦୧୪ ପୂର୍ବରୁ ୨୦୦୪-୧୪ ମଧ୍ୟରେ ଉଚ୍ଚ ଦରବୃଦ୍ଧି ଥିଲା। ସ୍ବାଧୀନତା ପରଠାରୁ ଏହି ଦଶନ୍ଧି ସବୁଠାରୁ ଦୁର୍ନୀତିଗ୍ରସ୍ତ ଥିଲା। ୟୁପିଏର ୧୦ ବର୍ଷର ଶାସନରେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଦେଶରେ ହିଂସା ଦେଖାଦେଇଥିଲା। ଏହି ସମୟ‌ରେ ଭାରତ ବିଶ୍ବ ମଞ୍ଚରେ ଏତେ ଦୁର୍ବଳ ହୋଇଯାଇଥିଲା ଯେ କେହି ଭାରତ କଥା ଶୁଣୁନଥିଲେ। ବିରୋଧୀ ଦଳଙ୍କ ମଧ୍ୟରେ ଥିବା ମତଭେଦକୁ କଟାକ୍ଷ କରି ମୋଦୀ କହିଥିଲେ, ୟୁପିଏ ଦଳମାନେ ଲୋକଙ୍କ ଦ୍ବାରା ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଥିଲେ ମଧ୍ୟ ଏକାଠି ହୋଇପାରୁନଥିଲେ। ଭୋଟରମାନେ ଯାହା କରିପାରିଲେନି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାହା କରିଦେଲା। ଇଡି ସମସ୍ତ ବିରୋଧୀ ଦଳକୁ ଗୋଟିଏ ମଞ୍ଚକୁ ନେଇ ଆସିଛି। ଦୁର୍ନୀତି ପ୍ରସଙ୍ଗରେ ମୋଦୀ ଏହି କଟାକ୍ଷ କରିଥିଲେ।

୨୦୦୪ରୁ ୨୦୧୪ ସର୍ବାଧିକ ଦୁର୍ନୀତିର ଦଶନ୍ଧି
ଭାରତର ସଫଳତାରେ କିଛି ଲୋକଙ୍କୁ ନିରାଶା ଘାରିଛି
ମୋ ପ୍ରତି ଲୋକଙ୍କ ଭରସା ଖବରକାଗଜ ହେଡ୍‌ଲାଇନରୁ ଜନ୍ମ ନେଇନି

ଆଜି ସଂସଦରେ ବିରୋଧୀ ସଦସ୍ୟମାନେ ଲଗାତାର ଆଦାନି-ଆଦାନି ସ୍ଲୋଗାନ ଦେଇଥିଲେ ସୁଦ୍ଧା ମୋଦୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ ଏବଂ କଡ଼ା ପ୍ରହାର ଜାରି ରଖିଥିଲେ। ମୋଦୀ ସଂସଦରେ ଥରେ ହେଲେ ମଧ୍ୟ ଆଦାନି ପ୍ରସଙ୍ଗ ଉଠାଇ ନଥିଲେ। ନିକଟରେ ଭାରତ ଯୋଡ଼ୋ ଯାତ୍ରାର ଉଦ୍‌ଯାପନ ସମାରୋହରେ ରାହୁଲ ଶ୍ରୀନଗର ଲାଲଚୌକରେ ଜାତୀୟ ପତାକା ଉଡ଼ାଇବା ପ୍ରସଙ୍ଗରେ ମୋଦୀ କଟାକ୍ଷ କରିଛନ୍ତି। ମୋଦୀ କହିଛନ୍ତି, ଆତଙ୍କବାଦୀଙ୍କ ଧମକ ସତ୍ତ୍ବେ ବିନା ସୁରକ୍ଷାରେ ସେ ପୂର୍ବରୁ ୧୯୯୨ରେ କାଶ୍ମୀରରେ ତ୍ରିରଙ୍ଗା ଉଡ଼ାଇଥିଲେ। ‘ମୋଦୀ’ ପ୍ରତି ଲୋକଙ୍କ ଭରସା କୌଣସି ଖବରକାଗଜର ହେଡ୍‌ଲାଇନ କିମ୍ବା ଟିଭିର ଦୃଶ୍ୟରୁ ଜନ୍ମ ନେଇନାହିଁ, ଏହା ପଛରେ ଦୀର୍ଘ ବର୍ଷର ତ୍ୟାଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର