ୟୁପିରେ ନିର୍ବାଚନୀ ବିଗୁଲ୍‌ ବଜାଇଲେ ପ୍ରଧାନମନ୍ତ୍ରୀ: ଡବଲ୍‌ ଇଞ୍ଜିନ୍‌ ସରକାର ଯୋଗୁ ବିକାଶ

ଅଯୋଧ୍ୟାରେ ଆପ୍‌ର ତ୍ରିରଙ୍ଗା ରୢାଲି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଏଥିସହିତ ଉତ୍ତର ପ୍ରଦେଶ ଶିଳ୍ପ ପ୍ରତିରକ୍ଷା କରିଡ଼ର ନିର୍ମାଣ ନେଇ ଏଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶ ‘ଡବଲ ଇଞ୍ଜିନ ସରକାର’ ଦ୍ବାରା ଉପକୃତ ହେଉଛି। ଉତ୍ତର ପ୍ରଦେଶର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତଭାବେ କାମ କରୁଛନ୍ତି। ବିକାଶ ବିରୋଧୀ ସବୁ ଶକ୍ତିଙ୍କ ବିରୋଧରେ ଆମକୁ ଲଢ଼େଇ ଜାରି ରଖିବାକୁ ପଡ଼ିବ ବୋଲି ମୋଦୀ ଆଜି ଆଲିଗଡ଼ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀ ସମାଜବାଦୀ ପାର୍ଟିର ତୀବ୍ର ସମାଲୋଚନା କରିଛନ୍ତି। ୨୦୧୨ରୁ ୨୦୧୭ ମଧ୍ୟରେ ସମାଜବାଦୀ ପାର୍ଟି ସରକାର ଅମଳରେ ହୋଇଥିବା ସ୍କାମକୁ ଲୋକେ ଭୁଲିପାରିବେ ନାହିଁ। ଆଇନଶୃଙ୍ଖଳା କହିଲେ ସେହି ସରକାର ଅମଳରେ କିଛି ନଥିଲା। କିନ୍ତୁ ଯୋଗୀ କ୍ଷମତାକୁ ଆସିବା ପରେ ଅପରାଧୀମାନେ ଅପରାଧ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜା ମହେନ୍ଦ୍ର ପ୍ରତାପ ସିଂହ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପାଇଁ ଜମି ଆବଣ୍ଟନ କରିଥିଲେ। ତେଣୁ ଏଭଳି ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଏବଂ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ନିର୍ମାଣ କରିଡ଼ରର ଲକ୍ଷ୍ନୌଠାରେ ବହ୍ମୋସ କ୍ଷେପଣାସ୍ତ୍ରର ବିକାଶ ପାଇଁ ‌ପ୍ରଧାନମନ୍ତ୍ରୀ ୯୦୦୦ କୋଟି ଟଙ୍କାର ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ। ଏହି ଉତ୍ସବରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ।

ଅଯୋଧ୍ୟାରେ ଆପ୍‌ର ତ୍ରିରଙ୍ଗା ରୢାଲି

ଲକ୍ଷ୍ନୌ: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆପ୍‌ (ଆମ୍‌ ଆଦ୍‌ମୀ ପାର୍ଟି) ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ବିଶାଳ ତିରଙ୍ଗା ରୢାଲି ସହ ଏହାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା କୁହାଯାଉଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ନେତୃତ୍ବରେ ଏହି ରୢାଲି ହୋଇଛି। ଆ‌ଜି ରୢାଲି ଆରମ୍ଭ ପୂର୍ବରୁ ସିସୋଦିଆ ସାମ୍ବାଦିକମାନଙ୍କୁ କହିଛନ୍ତି, ରାମ ଜନ୍ମଭୂମିକୁ ଆସିବା ସହ ଅନେକ ସାଧୁସନ୍ଥଙ୍କୁ ଭେଟିବାର ସୁଯୋଗ ପାଇଛୁ। ସେ କହିଛନ୍ତି, ଆମେ ଯେଉଁ ସରକାର ଗଠନ କରିବୁ ସେଥିରେ ପ୍ରଭୁ ଶ୍ରୀରାମଙ୍କ ଦ୍ବାରା ପ୍ରଦତ୍ତ ଆଦର୍ଶ ଦ୍ବାରା ଶାସନ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସିସୋଦିଆ ଅଯୋଧ୍ୟାରେ ବିଭିନ୍ନ ମନ୍ଦିର ବୁଲିଥିଲେ। ଆପ୍‌ ଆସନ୍ତା ବିଧାନସଭା ନିର୍ବାଚନରେ ସମସ୍ତ ୪୦୩ ଟି ଆସନରେ ପ୍ରାର୍ଥୀ ଦେବ ଲଢ଼ିବ‌ ବୋଲି ପୂର୍ବରୁ ଘୋଷଣା କରିସାରିଛି।

ସମ୍ବନ୍ଧିତ ଖବର